Unknown

 

 

 

 

 

 

 

 

 

 

ସ୍ୱର୍ଣ୍ଣଲେଖା

ପ୍ରମଥନାଥ ଦାଶ

 

-ଏକ-

ସ୍ୱର୍ଣ୍ଣଲେଖା ସହିତ ମୋହର ପ୍ରଥମ ପରିଚୟ ହୁଏ ଯାମସେଦ୍‌ପୁରର ମୀନାବଜାର ମେଳାରେ । ସେତେବେଳେ ମୁଁ ମେଟ୍ରିକୁଲେସନ ପରୀକ୍ଷା ଦେଇ ଘରେ ବସିଥାଏଁ । ରୂପଲେଖା ଆମ ଦୁହିଁଙ୍କର ପରିଚୟ କରାଇ ଦିଏ, “ବରଜ ଭାଇ, ଦେଖୁଛ ଏଇ ହେଉଛନ୍ତି ସେହି ସ୍ୱର୍ଣ୍ଣଲେଖା, ଯାରି କଥା କଥାଛଳରେ ପ୍ରାୟ ତୁମକୁ କହିଥାଏଁ ।”

 

-“ସ୍ୱର୍ଣ୍ଣ......ସ୍ୱର୍ଣ୍ଣ ?”

-ହଁ, ହଁ, ସେଇ ସ୍ୱର୍ଣ୍ଣ.! ସେଆଡ଼େ ନୁହେଁ ବରଜ ଭାଇ, ଏଆଡ଼େ ଅନାଅ--ଜାଣ ବରଜ ଭାଇ, “ସ୍ୱର୍ଣ୍ଣ ଚୁପି ଚୁପି ଅତି ସୁନ୍ଦର ମଧୁର ରସାଶ୍ରିତ କବିତା ଲେଖେ, କିନ୍ତୁ କାହାକୁ ଦେଖାଏ

ନାହିଁ ।”

 

-“ସେ କି ? ବେଶ୍‌, ସେ ସବୁ କି ହୁଏ ?”

ସହସା ନମସ୍କାରର ପର୍ବଟା ଆମ ଦୁହିଁଙ୍କର ପରିଚୟର ପ୍ରଥମ ପରଦା ଖୋଲିଦେଲା । ରୂପର ମଧ୍ୟସ୍ଥତାରେ ଆମର କଥାବାର୍ତ୍ତା ସହଜ ଓ ସରଳ ଭାବରେ ଚାଲିଲା । ପ୍ରାରମ୍ଭ ଯାର ଏଇପରି, ସେ ପରିଚୟ ନିବିଡ଼ତର ହେବାକୁ ବେଶୀ ଡେରି ଲାଗେ ନାହିଁ, ବିଶେଷତଃ ଯେଉଁଠି ତୃତୀୟ ପକ୍ଷର ଏତେ ଅନୁଗ୍ରହ ।

 

ରୂପଲେଖାର ସହାୟତାରେ ଅତି ଅଳ୍ପଦିନ ଭିତରେ ସ୍ୱର୍ଣ୍ଣ ମୋହର ଦୁର୍ଗରେ ଅବାଧ ପ୍ରବେଶାଧିକାର ପଥ ଖୋଜିନେଲା । ପ୍ରଥମରୁ ବୁଝିଥିଲି, ସେ ସହଜ ଓ ସାଧାରଣ ନୁହେଁ । ଏତେଦିନ ଧରି ଆଉ ସବୁ ଯେଉଁମାନଙ୍କୁ ଦେଖି ଆସିଛି ସେମାନଙ୍କ ଅପେକ୍ଷା ୟାରି ଗୋଟାଏ ନିଜସ୍ୱ ସ୍ୱାତନ୍ତ୍ର୍ୟ ଜରୁର ଅଛି । ଏ ଯେପରି ଏକ ଝଲକ ପ୍ରବଳ ଘୁରୁଣୀ ପବନ, ଯାହାର ଆୟତ୍ତାଧୀନ ହେଲେ ମଣିଷ ବିଭ୍ରାନ୍ତ ହୋଇଉଠେ ।

 

ପୁରୁଷ ମନକୁ ଜୟ କରିବାର ଯେଉଁ ଦୁର୍ଦ୍ଦମନୀୟ ଆକାଂକ୍ଷା ଏହାଠି ଲକ୍ଷ୍ୟ କରିଥିଲି, ତାରି ବିରୁଦ୍ଧରେ ମୋହର ସତ୍ତାକୁ ସର୍ବଦା ସଜାଗ କରି ରଖନ୍ତି । କୌଣସି ଦିନ, କୌଣସି ମୂହୂର୍ତ୍ତକ ପାଇଁ ସୁଦ୍ଧା ମୋର ଅନ୍ତରର ଦୁର୍ବଳତା ପରିହାସ ଚଞ୍ଚଳ ଚକ୍ଷୁ ସାମନାରେ ମେଲି ଦେଇନି ।

 

ତାରି ଏଇ ଆକାଂକ୍ଷା ଏବଂ ମୋର ପ୍ରତିରୋଧର ସଂଘର୍ଷରେ ଆମ ଦୁହିଁଙ୍କ ମଧ୍ୟରେ ଏକ ଜୀବନବ୍ୟାପୀ ଅମୀମାଂସିତ ଦ୍ୱନ୍ଦ୍ୱର ସୃଷ୍ଟି ହୋଇଥିଲା । ସେ ଦିନ ଆମର କଥା ଥିଲା ସ୍ୱର୍ଣ୍ଣ ଘରେ ଚା ଆଦି ଜଳଯୋଗ ସାରି ରିଗେଲକୁ ସିନେମା ଦେଖିଯିବା । ନୂଆ ନୂଆ ଚିତ୍ରପଟରେ କେତେ ଅଭିନବ ଅଫୁରନ୍ତ ସ୍ମୃତି ସ୍ୱର୍ଣ୍ଣର ମନ ଗହନରେ ଅବିରାମ ଭାସିଯାଉଥିଲା ।

 

ଠିକ୍‌ ପାଞ୍ଚୁଟା ବାଜିଥାଏ, ମୁଁ ସ୍ୱର୍ଣ୍ଣ ଘରେ ଆସି ପହଞ୍ଚିଲି । ଶୁଣିବାକୁ ପାଇଲି, ସ୍ୱର୍ଣ୍ଣ ତାର ଶୟନ କକ୍ଷରେ ହାରମୋନିୟମ୍‌ରେ ମଧୁର ଗଳାରେ ଗୀତ ଗାଉଛି ।

 

ମୁଁ ଯେ କା’ର ଆଶାପଥ ଚାହିଁ

ଦେଇଛିଁ ତରୀ ଭସାଇ

ଅବଶ ଶିଥିଳ ଅଙ୍ଗ

ତରଣୀ ମୋ ବାହି ବାହି ।

-ମାଳିକା- ।

 

ଇଚ୍ଛା କରି ତାର ଉଆସ ଭିତରକୁ ଗଲି ନାଇଁ । ଭୃତ୍ୟ ଟହଲ ସିଂ ଜରିଆ ମୋହର ଆସିବାର ଖବର ଦେଲି ।

 

ତତ୍‌କ୍ଷଣାତ୍‌ ସ୍ୱର୍ଣ୍ଣଲେଖା ଭିତରୁ ବାହାରି ପଡ଼ିଲା । ସେ ବୋଧହୁଏ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲା । ତା ଆଡ଼କୁ ଦୃଷ୍ଟି ଫେରାଇ କ୍ଷଣିକ ପାଇଁ ମୋହର ମୁଗ୍‌ଧ ଚକ୍ଷୁ ଦୁଇଟି ଫେରାଇ ଆଣି ପାରିଲି ନାହିଁ ।

 

ମୁଁ ବୋଇଲି, “ବିଜୟା ଯେଉଁ ଦିନ ନରେନର ମାଇକ୍ରୋସ୍‌କପ ଦେଖିବାପାଇଁ ବାହାରି ପଡ଼ିଥିଲା ଚିତ୍ରକରର ମଡେଲ ପକ୍ଷରେ ଆଜି ତୁମକୁ ତା ଠଉଁ ବଳି ସୁନ୍ଦର ଦେଖା ଯାଉଛି । କୌଣସି ଭୁଲ ବୁଝିବ ନାହିଁ ସ୍ୱର୍ଣ୍ଣ ! ଅକପଟ ଭକ୍ତର ଉଚ୍ଛ୍ୱସିତ ପ୍ରଶଂସାର ପୁନରୁକ୍ତି କରିବାର ଲୋଭ ସମ୍ବରଣ କରି ନ ପାରି କହି ପକାଇଲି।”

 

ସ୍ୱର୍ଣ୍ଣ ହସି ହସି ଉତ୍ତର ଦେଲା, “କିନ୍ତୁ ମୁଁ ସେଥିପ୍ରତି ତିଳେ ହେଲେ ବିଚଳିତ ହେବି ନାହିଁ ବରଜ ଭାଇ ! ରସିକତା କରିବାକୁ ବେଶ୍‌ ଶିଖିଛି ଦେଖୁଛି ।”

 

ନିମିଷକ ମଧ୍ୟରେ ମନର ସମସ୍ତ ଆନନ୍ଦ ମୋର କେଉଁଆଡ଼େ ଉଭେଇ ଗଲା । ଖାଲି ମନଟା ମୋର ଉଦାସ ଲାଗିଲା ଏଇ ଭାବି ଯେ, ସାମାନ୍ୟ ଗୋଟିଏ ରସାତବୋଧକ ଅନୁଭୂତିର ସମ୍ମୁଖରେ ବି ସେ ଏମିତି ନିର୍ମମ ଓ କଠୋର ହୋଇ ଦେଖା ଦେଇ ପାରେ ।

 

ସିଟ୍‌ ଆମର ରିଜର୍ଭ କରାହିଁ ଥିଲା । ଦୁହେଁ ଯଥା ସ୍ଥାନରେ ଯାଇ ବସିଲୁ । ସୋ ଆରମ୍ଭ ହୋଇଗଲା । ଆଘାତର ବ୍ୟଥାରେ ମନଟା ମୋର ଭାରୀ ହୋଇ ଉଠିଥିଲା । ତେଣୁ ମୁଁ ଚୁପ୍‌ କରି ବସି ରହିଲି । ସ୍ୱର୍ଣ୍ଣ ବି କିଛି କହିଲା ନାଇଁ । ତାର ସୁକୋମଳ ଦକ୍ଷିଣ ହସ୍ତଟି ମୋର ଯୁଗଳ କର କମଳରେ ଧରା ଦେଇ ନିଃଶବ୍ଦରେ ସେ ଛବି ଦେଖିବାରେ ଲାଗିଲା ।

 

କ୍ଷଣ ପୂର୍ବର କଠୋରତାର ଆଘାତ ପାଇଁ ୟାରି ଅକପଟ ଅନୁଶୋଚନା ମୋହର ସର୍ବ ଶରୀରରେ ଅନୁଭବ କରି ମୁଁ ଧନ୍ୟ ହେଲି ମନଟା ଏଥର ମୁକ୍ତ ବାୟୁର ପରି ହାଲୁକା ଲାଗିଲା । ଇତି ମଧ୍ୟରେ ଆମର ସିନେମା ଦେଖା ସରି ଯାଇଥାଏ ।

 

ଉନ୍ମକ୍ତ ରାଜପଥର ଧାରରେ ସ୍ୱର୍ଣ୍ଣ କହିଲା, “କି ସୁନ୍ଦର ଖୁଲୁ ଖୁଲୁ ବାୟୁ ବହୁଛି । ଚାଲନ୍ତୁ ନା ବରଜ ବାବୁ, ଏଇ ଅଦୂରବର୍ତ୍ତୀ ଖୋଲା ମଇଦାନର ମୁକ୍ତ ବାୟୁ ସେବନ କରି ଆସିବା ।’’

 

ଆକାଶ ଆଡ଼କୁ ଅନାଇ ମୁଁ ବୋଇଲି, “କିନ୍ତୁ ଆକାଶରେ ଘନ କୃଷ୍ଣ ବଉଦମାଳା ଉଟି ଆକାଶ ଧରଣୀର ଏ କି ପାଗଳାମି ! ଦେଖି ପାରୁଛ ସ୍ୱର୍ଣ୍ଣ, କିପରି ନିବିଡ଼ ଅନ୍ଧକାର ଘୋଟି ଆସୁଛି-। ଅସମ୍ଭବ..ସ୍ୱର୍ଣ୍ଣ..ଅସମ୍ଭବ ! ଏ କି ପୁଣି, ବିଷର୍ଣ୍ଣା ବର୍ଷାର ବିଗଳିତ ଧାରା ଯେ....!”

 

ମୋହର ହସ୍ତ ଧାରଣ ପୂର୍ବକ କିଛି କର୍ଣ୍ଣପାତ ନ କରି ସେ ବିଗଳିତ ସ୍ୱରରେ ଆତ୍ମ ନିବଦେନ କରି କହିଲା, “ବରଷା ବେଶ୍‌ ଆସୁ । ବର୍ଷାତି ଆଭରଣ ତ ରହିଛି । ତହିଁରେ ଆମର କ୍ଷତି କି ବରଜ ବାବୁ । ଚାଲନ୍ତୁ ନା....?”

 

ରିଗେଲର ଉନ୍ମୁକ୍ତ ରାଜପଥରେ ଆମେ ଯାଉ ଥାଉଁ । ମେଘୁଆ ବାଆରେ ପାଣି ଛିଟିକା ଆସି ପଡ଼ୁଥାଏ ଆମ ମୁହଁ ଉପରେ । ଶ୍ରାବଣର ବର୍ଷଣ ଭାରାତୁରା ମୌନ ମ୍ଳାନ ସନ୍ଧ୍ୟାର ଉତ୍ତଳ ବତାସ ସ୍ୱର୍ଣ୍ଣର ଆଜାନୁଲମ୍ବିତ କୁନ୍ତଳ କେଶ ଗୁଚ୍ଛ ମୋର ଆଖି ମୁହଁ ଉପରେ ପଡ଼ି ବେଳେ ବେଳେ ମନଟାକୁ ମୋର ଅସ୍ତବ୍ୟସ୍ତ କରି ପକାଉ ଥିଲା ।

 

ଉପରେ ଆକାଶ ଆଡ଼କୁ ଦୃଷ୍ଟି ପକାଇ ମନେ ହେଲା ଯେମିତି ଛିନ୍ନ ମେଘର ଫାଙ୍କେ ଫାଙ୍କେ ଖଣ୍ଡ ଚନ୍ଦ୍ର ଆମ ପରି ଭ୍ରମଣ ଯାତ୍ରା ସୁର୍‌ କରିଛନ୍ତି । ମେଘର ଫାଙ୍କେ ଫାଙ୍କେ ତା’ରି ଚକିତ ଦୃଷ୍ଟିର ମଧ୍ୟଦେଇ ସେ କି ବିପୁଳ ଇଙ୍ଗିତ !

 

ସେଇ ଆବଚ୍ଛା ଜ୍ୟୋତ୍ସ୍ନାର ସ୍ତିମିତ ଆଲୋକରେ ସ୍ୱର୍ଣ୍ଣର ମୁଖଚନ୍ଦ୍ରମା ଦେଖି ମୋର ମନ ଗହନରେ ଏକ ଅପୂର୍ବ ମାୟାଜାଲ ସୃଜନ କଲା । ଅନ୍ତରର ନିଭୃତ କୋଣରେ ପୁଞ୍ଜିଭୂତ ବେଦନା ସ୍ତରେ ସ୍ତରେ ଜମି ଯାଉଥିଲା ଠିକ୍‌ ଭାରାତୁର କଳା ମେଘ ପରି । ମେଘୁଆ ପବନ ପରଶର ଧୀର କମ୍ପନ ପରି ଗୋଟିଏ ସୁଖସୃତି ସେହି ପୁଞ୍ଜିଭୂତ ବେଦନାରେ ଦେଉଥିଲା ମୃଦୁ ଆଲୋଡ଼ନ ।

 

ହଠାତ୍‌ ଆସି ଯଦି କେହି ମୋର ଅନ୍ତରର ବେଦନାକୁ ତାରି ଅନ୍ତରରେ ଉପଲବ୍ଧି କରେ, ମୋର ଅନ୍ତରର ଭାଷାକୁ ତା’ରି କଣ୍ଠରେ କଣ୍ଠରେ ଫୁଟାଇ ବାହାର କରେ ଓ ଯଦି ମୋ ଅନ୍ତରରେ ଗୋଟାଏ ଆକସ୍ମିକତାର ଅବତାରଣା ହୁଏ, ତେବେ ସେଟା ଅତ୍ୟନ୍ତ ସ୍ୱାଭାବିକ । ସେଇ ଆକସ୍ମିକତା ଆସିଥିଲା ବହୁକ୍ଷଣ ଧରି ଆମ ଦୁହିଁଙ୍କ ଭିତରେ ଗୋଟିଏ ନୀରବତାର ଆଭରଣ ଘେନି ।

 

ଦମକା ପବନରେ ଯେମିତି ଖୋଲା ବହିର ପୃଷ୍ଠା ଗୁଡ଼ିକ ଫର ଫର ହୋଇ ଓଲଟି ଯାଏ ସେମିତି ମୋ ମନରେ ଏମିତି କେତେଗୁଡ଼ିଏ ସ୍ମୃତିର ସମାବେଶ ହେଲା ପରେ ପରେ ଠିକ୍‌ ଛାୟାଚିତ୍ରର ଦୃଶ୍ୟପଟ ପରି।

 

ଏହିପରି ଗୋଟାଏ ଅକାରଣ ନୀରବତା କେତେକ୍ଷଣ ଧରି ଆସିଥିଲା । ସହସା ଏଇ ନୀରବ ଓ ନିସ୍ତବ୍‌ଧତା ଭଙ୍ଗ କରି ସ୍ୱର୍ଣ୍ଣକୁ ଡାକିଲି- “ସ୍ୱର୍ଣ୍ଣ !”

-“କୁହନ୍ତୁ ।”

 

-‘‘ଶୁଣ, ସ୍ୱର୍ଣ୍ଣ, ବହୁଦିନ ଧରି ଗୋଟାଏ କଥା ତୁମକୁ କହିବା ପାଇଁ ମନ ବଳାଇଛି । ଅତୀତ ସଙ୍ଗରେ ତା ସହିତ ଜଡ଼ିତ ରହିଛି କେତେଗୁଡ଼ିଏ ସୁଖ ସ୍ମୃତି, ଭବିଷ୍ୟତରେ ରହିଛି ଆଶା ଓ ସ୍ୱପ୍ନ- ମାତ୍ର ବର୍ତ୍ତମାନ କେବଳ ଶୂନ୍ୟତା ଆଉ ଜଡ଼ତା । ସନ୍ଧ୍ୟା ତ ସବୁଦିନ ଆସେ, ମାତ୍ର ଏମିତି ସନ୍ଧ୍ୟା । କଳା ମେଘସ୍ତର ହୋଇ ରହିଛି ଆକାଶ ଯାକ ବ୍ୟାପୀ, ତହିଁ ମଧ୍ୟରେ ପୁଣି ଉଦିଆ ଚାନ୍ଦର ତୋଫା ଆଲୁଅ- ଏ ସବୁ ଟିକିଏ ଅସାଧାରଣ ନୁହେଁ କି ?” ମନେ ହେଉଛି ମୋର ଏତେ ଦିନର ସଞ୍ଚିତ ବଦେନା ଭରା କଥା ଆଜି.......। ଆଚ୍ଛା ଶୁଣ ତେବେ ସ୍ୱର୍ଣ୍ଣ,-

 

“ଜଳ ଛଳ ଛଳ ପ୍ରକୃତି ସଜଳ

ସେଦିନ ବାଦଲ ବେଳା

ଆଖି ଜଳ କୋଣେ ଭାଙ୍ଗିଗଲା ତେଣୁ

ଆମର ମିଳନ ମେଳା

କଳା ମେଘ ବଡ଼ ସୁନ୍ଦର ଦିଶେ

ଧୂଳି ଭରା ଧରଣୀ’ପରେ

ଗଗନେ ସେ ତେଣୁ ଥାଏ ନା-

ଝରିପଡ଼େ ଶ୍ରାବଣର ନୀରେ ।”

 

ସ୍ୱର୍ଣ୍ଣ ବାଧା ଦେଇ କହିଲା, “ଯାହା କହିବାକୁ ଯାଉଛ ବୁଝୁଛି ବରଜ ବାବୁ । କିନ୍ତୁ ଦୋହାଇ ବରଜ ବାବୁ, ଏ କାବ୍ୟ ରଖନ୍ତୁ । ଚାଲନ୍ତୁ ଏବେ- ଏ ଦମକା ବାଆରେ ଆଉ ଏଠି ସମୟ କଟାଇବାକୁ ଇଛା ହେଉନାହିଁ।”

 

ବିକ୍ଷୁବ୍‌ଧ ପ୍ରକୃତିର ନ୍ୟାୟ ସାରା ଅନ୍ତର ମୋର ଉଦ୍‌ବେଳିତ ହୋଇ ଉଠିଥିଲା । ସ୍ୱର୍ଣ୍ଣର ଏ କଥା ଶୁଣି ମୂହୂର୍ତ୍ତକ ସକାଶେ ତାହା ସ୍ତବ୍‌ଧ ହିମ ପ୍ରାୟ ହୋଇଗଲା ।

 

ନାରୀ ଜାତିର ସୌନ୍ଦର୍ଯ୍ୟ ଦୁଇ ପ୍ରକାର । ଗୋଟାଏ ବସନ୍ତ ଋତୁ ପରି ମନରେ ଆଣେ ଉଦ୍ଦୀପନା, ଆଣେ ଉନ୍ମାଦନା, ଆଉ ଆଣେ ଚଞ୍ଚଳତା । ଆରଟି ବର୍ଷାଋତୁ ପରି ଶୀତଳ ଓ ସ୍ନିଗ୍‌ଧା । ଉନ୍ମାଦନା ନାଇଁ ଅଛି କେବଳ ତୃପ୍ତି, ଅବସାଦ ନାଇଁ ଅଛି ପୂର୍ଣ୍ଣତା । ସ୍ୱର୍ଣ୍ଣର ରୁପ ଏଇ ଧରଣର- ସ୍ନିଗ୍‌ଧା ବର୍ଷାପରି । ଆଖି ଝଲସି ଯିବା ଭଳି ସୌନ୍ଦର୍ଯ୍ୟର ଉତ୍କଟତା ତାଠେଇଁ ନ ଥିଲା । ସ୍ନିଗ୍‌ଧତା ସମସ୍ତଙ୍କୁ ମୁଗ୍‌ଧ କରେ । ମୋ କ୍ଷେତ୍ରରେ ବା ତାର ବ୍ୟତିକ୍ରମ ହେବ କାହିଁକି ?

 

ଅପରିଚିତତାର ବ୍ୟବଧାନ ଦୂରୀଭୂତ ହୋଇ ଆମ ଦୁହିଁଙ୍କର ଆତ୍ମୀୟତା ହେବାକୁ ସମୟ ବେଶୀ ଲାଗି ନାଇଁ । କାରଣ, ସ୍ୱର୍ଣ୍ଣ ତାର ବ୍ୟବହାରରେ ଓ ଗୁଣରେ ମୁଗ୍‌ଧ କଲା ଭଳି କମନୀୟତା ଅଛି । ତାର ସେଇ ସ୍ନିଗ୍‌ଧତା ଓ କମନୀୟତାର ସମ୍ମିଶ୍ରଣ ମୋତେ ବି ଭାରି ଭଲ ଲାଗିଥିଲା । ସହସା ସ୍ୱର୍ଣ୍ଣର ଏଇ ଅପ୍ରତ୍ୟାଶିତ କଥାରେ ହୃଦୟରେ ମୋର ଦୁର୍ବଳତା ଅନୁଭବ କରିଥିଲି । ଏଇ ଦୁର୍ବଳତାର ସୁଯୋଗ ଘେନି ଗୋଟାଏ ମାୟାର ବନ୍ଧନ ମୋତେ ବି ଘେରି ପକାଇଥିଲା ।

 

କେତେବେଳେ ଯାଏ ସେମିତି ନୀରବରେ କଟିଥିଲା କେଜାଣି ସ୍ୱର୍ଣ୍ଣ ଆଉ କିଛି କହିଲା ନାହିଁ, ନୀରବରେ ଠିଆ ହୋଇ ରହିଲା । କେଉଁ ଅନିର୍ଦ୍ଦିଷ୍ଟ କଳ୍ପଲୋକର ଛବିର ଅନୁଭୁତି ମନରେ ଘାରି ଦେବାରୁ ବୋଧହୁଏ । ସେ ସେଇପରି ତଳକୁ ମୁହଁ ପୋତି ଛିଡ଼ା ହୋଇଥିଲା । ଆଉ ମୁଁ ଦେଖୁଥିଲି, ତା’ ଦିହଯାକରେ ଆଲୋକଛାୟାର ଲୁଚକାଳି ଖେଳ । ଅଗତ୍ୟା ଗୁହାଭିମୁଖରେ ଫେରି ଚାଲିବାକୁ ପଡ଼ିଥିଲା ତା’ରି ଅନୁରୋଧରେ ।

 

-ଦୁଇ-

ଏମିତି ଏକମାସ ଗଲା ବିତି । ସ୍ୱର୍ଣ୍ଣର ଆଉ ଦେଖା ମିଳିଲା ନାଇଁ । ମୁଁ ବସିଥିଲି ଗୋଟିଏ ମୁକ୍ତ ବାତାୟନ ପାଖରେ ପଶ୍ଚିମ ଗଗନକୁ ଚାହିଁ । ମେଘୁଆ ବାଆରେ ପାଣି ଛିଟିକା ଆସି ପଡ଼ୁଥାଏ ମୋ ମୁହଁ ଉପରେ । ମୁଁ ବସି ଭାବୁଥିଲି, କଅଣ ଭାବୁଥିଲି କେଜାଣି ? ମେଘର ଫଟା ଝରକାବାଟେ ଅସ୍ତଗାମୀ ଅରୁଣର ଗୋଟାଏ ଅତି କ୍ଷୀଣ ଆଲୋକ ରଶ୍ମୀ ଦେଖାଯାଉଥାଏ ସୂର୍ଯ୍ୟାସ୍ତର ଅରୁଣିମା ସେ ଦିନ ମେଘର ବିଷର୍ଣ୍ଣତା ମଧ୍ୟରେ ଯାଇଥାଏ ଲୁଚି । ଅସ୍ତରାଗଜ ରଞ୍ଜକ ଉତ୍ସବ ମେଘର ଦିଗନ୍ତ ବ୍ୟାପୀ ବ୍ୟଥାର ଭାରରେ ଚପି ରହିଥାଏ । ଆଉ ବିଷର୍ଣ୍ଣା ବର୍ଷାର ବିଗଳିତ ଧାରାରେ ପଖାଳି ହୋଇ ଯାଉଥାଏ ସବୁ ।

 

ସନ୍ଧ୍ୟାର ଅନ୍ଧକାର ଧୀରେ ଧୀରେ ଘୋଟି ଆସୁଥାଏ କ୍ରମେ ନିବିଡ଼ରୁ ନିବିଡ଼ତର ହୋଇ-। ଆଖି ଆଗରେ ସେତେବେଳେ ଭାସି ଆସୁଥିଲା ସନ୍ଧ୍ୟା ରାଣୀର ଏକ ଚିତ୍ରପଟ୍ଟ ! ମୁଁ ଅନ୍ତତଃ ଏପରି ଅବସ୍ଥାରେ ପଡ଼ିଲେ କଅଣ କରନ୍ତି, ଯଦି ସନ୍ଧ୍ୟାରାଣୀ ତାରି ଲମ୍ବା କଳାପରଦା ଟାଣି ପୃଥିବୀକୁ ଦୀର୍ଘ କାଳ ତମସାଛନ୍ନ କରି ରଖନ୍ତା ।

 

ଠିକ୍‌ ସେତିକିବେଳେ ସ୍ୱର୍ଣ୍ଣ କୁଆଡ଼ୁ ଦମକା ବାଆ ପରି ଘରେ ପ୍ରବଶେ କଲା ଏବଂ ବୋଧହୁଏ ସେହି ପବନର ପରଶ ନ ପାଇ ଗୃହର ବତୀଟା ଦପ୍‌ କରି ଗଲା ନିଭି । ମୁଁ ଅତର୍କିତ ଭାବରେ ଥିଲି ଆପଣା ଭାବରେ ଭୁଲି- ଦିଗନ୍ତ କୋଳରେ ଦୃଷ୍ଟି ହଜାଇ । ଏଣୁ ଚମକି ପଡ଼ିଲି ଜଣକର ଏପରି ଅପ୍ରତ୍ୟାଶିତ ଆଗମନରେ ।

 

ସେଇ ଅତର୍କିତ ଅନ୍ଧକାର ମଧ୍ୟରେ ସ୍ୱର୍ଣ୍ଣର ଅସ୍ଫୁଟ କଳହାସ୍ୟ ଯେମିତି କେଉଁ କଳ୍ପଲୋକର ରହସ୍ୟପୁରୀର ଆବହାଓୟା ବହନ କରି ନେଇଗଲା । ହଠାତ୍‌ ବତୀଟା ଜାଳି ପକାଇ ମୁଁ ବୋଇଲି, “ଏ କେଉଁ ଖେଆଲ ପୁଣି ? ଚକ୍ଷୁ ଭୟରେ ବତୀ ଆଲୁଅର ସାହାଯ୍ୟ ଯଦିଚ ନେଇଛିଁ, ଏମିତି ଅସମୟରେ ସେଟା ଅବଧି ବିମୁଖ ହୋଇ ଉଠିଛି ?”

 

କଥାଟା ତା କାନକୁ ଗଲା କି ନାହିଁ ଜାଣି ନାହିଁ । କିନ୍ତୁ ସ୍ୱର୍ଣ୍ଣ ଅଳ୍ପ ହସି ଚାହିଁଲା ମୋ ଆଡ଼କୁ । ତାର କିଶୋରୀ ହୃଦୟରେ ସେ କଣ ଅନୁଭବ କଲା କେଜାଣି, ମୁହଁଟାକୁ ଆଉ ଉପରକୁ ଟେକି ରଖି ପାରିଲା ନାହିଁ । ରକ୍ତ ଗୋଲାପ ଦଳର ଆଭା ଫୁଟିଲା ତହିଁରେ । ଏଇ ହସ, ଗ୍ରୀବାର ଭଙ୍ଗୀ, ଚାହାଣୀର ଛଟା- କିଏ ବୁଝିବ ତାର ଅର୍ଥ ! ଆକାଶଟା ଯାକ ଖଣ୍ଡ ଖଣ୍ଡ ଧଳାମେଘ ଭିତରେ ଚାଲିଥାଏ ଜହ୍ନ ଆଲୁଅର ଲୁଚକାଳି । ମୁଁ ବସିଥିଲି ପୂର୍ବବତ୍‌ ସେଇ ବାତାୟନକୁ ଆଉଜି । ଝିର ଝିରିଆ ପତର ଭିତର ଦେଇ ଜହ୍ନ ଆଲୁଅ ପୁଣି ଘର ଭିତରକୁ ପ୍ରବଶେ କରି ଗୋଟାଏ ସ୍ୱପ୍ନରାଜ୍ୟର ସୃଷ୍ଟି କରୁଥାଏ । ସେ ଆସି ବସିଲା ସେଇଠି ଆଉ ଟିକିଏ ଦୂରକୁ ଆଉଜି ।

 

ସେ କହିଲା, “କାରଣ ପଚାରୁଛନ୍ତି ବରଜ ବାବୁ- ସବୁ ତ ଆପଣଙ୍କ ଯୋଗୁଁ । କେତେଦିନ ଯାଏ ଏକବାର ଆପଣଙ୍କର ଆଉ ଦେଖା ମିଳି ପାରିଲା ନାହିଁ । ମୁହୂର୍ତ୍ତକ ପାଇଁ ସୁଦ୍ଧା ନୁହେଁ । ହଠାତ୍‌ ଏମିତି ଅଦୃଶ୍ୟ ହେବାର କାରଣଟା ବୋଧହୁଏ କୌଣସି.......!”

 

ମୁଁ ବାଧା ଦେଇ କହିଲି, “ରୁହ-ରୁହ, ପ୍ରଶ୍ନର ଚାପରେ ଯେ ମୋତେ ଅଧୀର କରି ପକାଇଲାଣି । ମୁଁ ତ କେବେ କୁଆଡ଼େ ଅଦୃଶ୍ୟ ହୋଇନି । ତୁମକୁ ବରଂ ଏଇ କେତେଦିନ ଧରି ଦେଖା ପାଇନି । ଚାରି ପାଞ୍ଚଦିନ ଧରି ତୁମକୁ ମୁଁ ଅହରହ ଖୋଜିଛି, ତୁମ ଘରକୁ ବି ଯାଇଛି ଏବଂ ସେଠାରେ ବି ଖୋଜୁଛିଁ, କିନ୍ତୁ.....!”

 

ସ୍ୱର୍ଣ୍ଣ ବାଧା ଦେଇ ଜବାବ ଦେଲା, “ଇସ୍‌ ଯାଇଥିଲେ ନା କି ? ହୁଁ, କେବେ ଯାଇ ଖୋଜିଥିଲେ କୁହନି !”

ଉତ୍ତର ଦେଲି, “ମିଛ କହୁନି ସ୍ୱର୍ଣ୍ଣ । ଅହରହ ଅବିଶ୍ରାନ୍ତ ଭାବରେ.....!”

 

ମନେ ମନେ ଭାବିଲି- ମୋର ମୁହଁର ସ୍ୱୀକାରୋକ୍ତିଟା ହିଁ ସେ ଶୁଣିବାକୁ ଆସିଛି । ବେଶ୍‌ ତହିଁରେ କ୍ଷତି ବା କି ?

 

ସ୍ୱର୍ଣ୍ଣ ବହୁକ୍ଷଣ ନୀରବ ପରେ ଦୁଃଖଭରା କଣ୍ଠରେ ବୋଇଲା, “କିଶୋର, ସୁରେଶ ରୋଜ ରୋଜ ଆସି ବଡ଼ ପୀଡାପୀଡ଼ି କରନ୍ତେ, ଏଣୁ ନ ଯାଇ ବା ଚାରା କଅଣ ? ବେଚାରୀ ଅତି ଭଦ୍ରଲୋକ । ଆପଣଙ୍କ ସହିତ ଥରେ ଯଦି ପରିଚୟଟା କରାଇ ଦିଅନ୍ତି ତାହାହେଲେ ବୋଧହୁଏ ବୁଝନ୍ତେ !”

 

ମୁଁ ହସି ହସି ଜବାବ ଦେଲି, “ଥାଉ ସ୍ୱର୍ଣ୍ଣ, ମୋର ଦରକାର ନାଇଁ ।”

କଥା ପଦକରେ ଯେଉଁ କର୍କଶତା ପ୍ରକାଶ ପାଇଲା ତାହା ସେ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରି ମୁଣ୍ଡ ହଲାଇ ମିନତି ସ୍ୱରେ କହିଲା, “ରାଗୁଛନ୍ତି ବରଜ ବାବୁ, ରାଗନ୍ତୁ ପଛକେ ମୋର ଅବା ଦୋଷ କଅଣ ? ମାଆ ନ କହିଥିଲେ ମୁଁ କଦାପି ଯାଇ ନ ଥାନ୍ତି ।”

 

ମୁଁ ବୋଇଲି, “ନା, ନା, ରାଗିବି କାହିଁକି ? କି ଅଧିକାରରେ ଅବା...... ।”

ମନେ ମନେ ଭାବିଲି, -ମିନତି ଦେଖାଇବାର ସେ ଚେଷ୍ଟା କରୁଛି । କିନ୍ତୁ ଫଳ କିଛି ହେବ ନାଇଁ । ତା’ର ଖେଆଲୀ ମନର ରୁଦ୍ଧ ଦରଜା ସାମନାରେ ଛିଡ଼ା ହୋଇ ଉମେଦାରୀ କରା ମୋଠି କିନ୍ତୁ ପଟିବ ନାହିଁ ।

 

ସ୍ୱର୍ଣ୍ଣ ସେତେବେଳେ ଭାବୁଥିଲା ଆକାଶ-ପାତାଳ । ଭାବି ପୁଣି କଅଣ ଗୁଡ଼ାଏ କହିବ ବୋଲି ପ୍ରସ୍ତୁତ ହେଉଥିଲା ବୋଧହୁଏ । କିନ୍ତୁ ଠିକ୍‌ ସେତିକିବେଳେ ବନ୍ଧୁ ରମେଶର ଗମ୍ଭୀର କଣ୍ଠର ଆଓ୍ୟାଜ କାନରେ ପଶିବାରୁଁ ଇସାରା ଦେଇ କାନ୍ଧରେ ଚଟ୍‌ କରି ଚଦର ଖଣ୍ଡି ପକାଇ ଦେଇ ମୁଁ ତତ୍‌କ୍ଷଣାତ୍‌ ବାହାରି ପଡ଼ିଲି ।

 

-ତିନି-

ସେ ଦିନ ଦ୍ୱିପ୍ରହର ବେଳେ ମୁଁ ‘ପ୍ରିୟ ବାନ୍ଧବୀ’ ଉପନ୍ୟାସ ଖଣ୍ଡି ନେଇ ପଢ଼ୁଥିଲି । ପଢ଼ିବାକୁ ମନ ଗୋଟେ ଲାଗୁ ନ ଥାଏ । ଅକାରଣରେ ମନଟା ବାହାରର ସ୍ତବ୍‌ଧ ଦ୍ୱିପ୍ରହରର ନ୍ୟାୟ ଭାରାକ୍ରାନ୍ତ ହୋଇ ଉଠୁଥିଲା ।

 

ମୁଁ ଭାବୁଥିଲି- କେତେ କଅଣ ଭାବୁଥିଲି, ତାର ଇୟତ୍ତା ନାହିଁ । ସ୍ୱର୍ଣ୍ଣର ସେଇ ରାତିର ହସ ଟିକକ ମୁଁ ଭୁଲି ପାରି ନ ଥାଏ । ମୁଁ ନିର୍ନିମେଷ ନୟନରେ କିପରି ତାରି ଆଡ଼କୁ ଅନାଇ ରହିଥିଲି, ଖୋଜୁଥିଲି ତା’ରି ଅନ୍ତରର ଭାଷା, ଭୁଲିଥିଲି ନିଜର ଅସ୍ତିତ୍ୱ, ଭୁଲିଥିଲି ମୋ ମନର ଭାବନା, କେବଳ ଦେଖୁଥିଲି ତା’ରି ସ୍ନିଗ୍‌ଧ ଆୟତ ଆଖି ଦିଓଟିରେ ଅସୀମତାର ବ୍ୟାପ୍ତୀ, ଅଧର କୋଣରେ ତାରୁଣ୍ୟର ଦୀପ୍ତି, ଚୂର୍ଣ୍ଣ ଅଳକରେ ଗୋଟିଏ ଅନର୍ଦ୍ଦିଷ୍ଟ ମାଦକତା- ଖାଲି କେବଳ ସେଇକଥା ମାତ୍ର ।

 

ସୁରେଶ ସହିତ ନୂଆ କରି ମୋର ପରିଚୟ ହୋଇଛି । ହାଇସ୍କୁଲର ଚାରିବର୍ଷ କାଳ ଏକା ସାଥୀରେ କ୍ଳାସରେ ବସା ଉଠା ତାର ପରେ ବହୁକାଳ ଧରି ଛାଡ଼ା ଛାଡ଼ି । ଆଇନର ମୋହ ତାକୁ ଦୂରକୁ ଓଟାରି ନେଇ ଯାଇଥିଲା । କ୍ଳାସରେ ଯେ ଥିଲା ନିହାତି ବୋକା, ସେ ଆଜି ଲମ୍ବା ଲମ୍ବା ଛଡ଼ା କଥା କୁହେନା । ଏଆଡ଼େ ପୁଣି ସ୍ୱର୍ଣ୍ଣର ସହିତ ସେ ପ୍ରେମରେ ପଡ଼ୁଛି । ହେଲେହେଁ ମୋର କି ଯାଏ ଆସେ । ଜୋର କରି ସେ ଏ ବିପଦସଙ୍କୁଳ ପଥରେ ଚାଲିଛି-ଚାଲି ପାରେ ।

 

ଏମିତି କେତେ କଅଣ ଭାବୁଥିଲି । ସ୍ୱର୍ଣ୍ଣ କୁଆଡ଼ୁ ଆସି ମୋର ଘରେ ପ୍ରବେଶ କଲା । ଯେଉଁ କଥାଟା ମନରୁ ଏକ ପ୍ରକାର ପୋଛି ପକାଇଥିଲି, ସେଇ କଥାଟାହିଁ ସେ ପୁଣି ରୋମନ୍ଥନ କଲା । ଅନିଚ୍ଛା ସତ୍ତ୍ୱେ ବହି ପଢ଼ିବା ବନ୍ଦ କଲି ।

 

ସ୍ୱର୍ଣ୍ଣ ପଚାରିଲା, “ଆଚ୍ଛା କୁହନ୍ତୁ ନା, ବରଜ ବାବୁ, କେମିତି ଧରଣର ସେ ସୁରେଶ ବାବୁଟି? ବେଶ୍‌ ଭଦ୍ର ଧରଣର ବୋଧହୁଏ ?”

 

ମୁଁ ହସି ହସି ବୋଇଲି, “ନିଶ୍ଚୟ, ଅତି ଭଦ୍ର । ସ୍କୁଲରେ ପ୍ରତ୍ୟହ ତାକୁ ନାନା ଉପାୟରେ ଏପ୍ରିଲ ଫୁଲ କରି ଆମ୍ଭେମାନେ ଯେତେ ଆନନ୍ଦ ପାଉଥିଲୁ, ସେ ନିଜେ ଠକ ଓ ବୋକା ବନି ମଧ୍ୟ ଆମ ଅପେକ୍ଷା କମ୍‌ ଆନନ୍ଦ ଅନୁଭବ କରନ୍ତା ନାହିଁ । ଏବେ ବି ଦେଖିଲି, ସୁରେଶର ପ୍ରକୃତି ମଧ୍ୟରେ ଆଜି ବି ତାର କୌଣସି ବ୍ୟତିକ୍ରମ ହୋଇନାହିଁ । ବର୍ତ୍ତମାନ ମଧ୍ୟ ଅତି ସହଜ ଭାବରେ ତାକୁ ଠକାଇ ପାରାଯାଏ ।”

 

ମୋ କଥା ଶୁଣି ପ୍ରଥମ ପ୍ରଥମ ବିସ୍ମିତ ହୋଇ ସ୍ୱର୍ଣ୍ଣ ମୋ ଆଡ଼କୁ ଚାହିଁ ରହିଲା । ବୋଧହୁଏ ମୋର କହିବା ଭଙ୍ଗୀର ଅର୍ଥଟା ସେ ବୁଝିବାକୁ ଚେଷ୍ଟା କରୁଥିଲା । କ୍ଷଣିକ ପରେ ମୁହଁରେ ରକ୍ତ ଗୋଲାପର ଆଭା ଫୁଟାଇ ସେ ବୋଇଲା, “କିନ୍ତୁ ବରଜ ବାବୁ, ଆପଣଙ୍କ ପରି ତାଙ୍କର ଏତେ ଅହଙ୍କାର ନାଇଁ । ତା’ ବୋଲି ସେ ନିହାତି ବୋକା ବି ନୁହଁନ୍ତି ।”

 

ସ୍ୱର୍ଣ୍ଣର ଏ ଦୀପ୍ତ କ୍ରୋଧ ଦେଖି ମୋତେ ଭାରି ହସ ମାଡ଼ିଲା । ମୁଁ ସେହିକ୍ଷଣି ଉତ୍ତର ଫେରାଇ ବୋଇଲି, “ଚୁପ କର ସ୍ୱର୍ଣ୍ଣ, ଏମିତି କୁହନା । ସ୍ୱର୍ଣ୍ଣ ତୁମେ କି ଜାଣନା –କୌଣସି କଥା ମୁହଁରେ ଫସ କରି ଫୁଟାଇବା ପୂର୍ବରୁ ମନର ଗମ୍ଭୀରତା ସଜାଗ ରଖିବା ଦରକାର । ତୁମ ମୁହଁ ଭଙ୍ଗୀରୁ ତୁମ ମନର କଥା ବୁଝିବା ବଡ଼ ସହଜ ।”

 

ପରିହାସର ତୀବ୍ର ଦାହ ସେ ଆଉ ସହ୍ୟ କରି ପାରିଲା ନାହିଁ । ଆରକ୍ତ ମୁଖରେ ତେଣୁ ସେ ଗୃହରୁ କ୍ଷିପ୍ତ ପ୍ରାୟ ଛୁଟି ପଳାଇଗଲା । ଦୁଆର ପାଖରୁ ପଛକୁ ଫେରି ଚାହିଁଥିଲା ଥରେ ମୋ ଆଡ଼େ । ଯେମିତି ଜଣା ପଡ଼ୁଥିଲା, ମୁହଁରେ ତାର ମଳିନ ଗାମ୍ଭୀର୍ଯ୍ୟ ଗୋଟାଏ ଅବଶ୍ୟମ୍ଭାବୀ ଘଟଣାର ଅଧୀର ପ୍ରତୀକ୍ଷାରେ ବ୍ୟାପ୍ତଥିଲା ବୋଧହୁଏ ।

ବହିଟି ଟାଣି ନେଇ ଶୋଇପଡ଼ିଲି । ପଢା ଆଉ ଆଗେଇ ପାରିଲା ନାହିଁ ।

 

ମୋର ମନେ ମନେ ଅଜସ୍ର ଚିନ୍ତାର ଜମାଟ ବାନ୍ଧି ଯାଇଥିଲା । ଏ ତରୁଣୀ ସ୍ୱର୍ଣ୍ଣ ସେଇ ତରୁଣ ସୁରେଶର ମନ ଗହନରେ ତାର ରକ୍ତ ଗୋଲାପର କି ରକ୍ତିମ ଯୌବନ ଉଦ୍ଦାମତା ଭାବ ଖେଳାଇ ଏକ ଅପୂର୍ବ ମାୟାଜାଲ ସୃଜନ କରିଥିଲା କେଜାଣି ? ତେବେ ଏଇ କଅଣ ତା’ରି ଦୋଷ ! ମୁଁ କିନ୍ତୁ ଏତେ ଚଞ୍ଚଳ ଚାହେଁ ନା ଯବନିକା ଟାଣିବାକୁ । ବାସ୍ତବିକ ମନୁଷ୍ୟର ସୁଖଟା ଯେତେବେଳେ ଆସେ, ତହିଁର ମାଦକତା ନ ଥାଏ କିଛି । ସୁଖର ପ୍ରତୀକ୍ଷାରେହିଁ ସୁଖ, ଆଉ ତାର ଆଗମନର ଉତ୍କଣ୍ଠାରେହିଁ ସୁଖ, ଫୁଲଟିଏ ଫୁଟିବାର ମାଦକତାରେ ଯେଉଁ ରୂପ, ଯେଉଁ ରସ, ଯେଉଁ ଗନ୍ଧର ସୃଷ୍ଟିହୁଏ, ମୁଁ ଚାହେଁ ସେହି ମାଧୁରୀରେ ନିଜକୁ ବିହ୍ୱଳ କରିବାକୁ । କିନ୍ତୁ ତା’ର ମଉଳିବାର ବ୍ୟର୍ଥତା ମୁଁ ଚାହେଁ ନା, ସେଥିପାଇଁ ମୁଁ ରହେ ଦୂରରେ, ଯେତେବେଳେ ସମୟ ଆସେ ପରିଣତିର ଉତ୍କଟତାକୁ ନିଜ ଭିତରେ ଅନୁଭବ କରିବାକୁ । ମୋ ଜୀବନରେ ଏଇ ଯେଉଁ ମହା ସୁଖର ଆବଶେ ବିହ୍ୱଳ କରୁଛି, ଏଟା କେବଳ ଆଶା ଓ ପ୍ରତୀକ୍ଷା । ଏଥିରେ ଭିଡ଼ି ଓଟାରି ବାସ୍ତବତାର ନିଷ୍ଠୁର ଯବନିକା ଟାଣିଲେ ମୋର ସମ୍ବଳ ଆଉ ରହିଲା କଅଣ ?-ବିବାହ ?- ନା, ମୁଁ ତାକୁ ବିବାହ କରିବାକୁ ଚାହେଁନା- ଏଇ ଲୁଚକାଳି ଖେଳ ଚାଲିଥାଉ ଚିରଦିନ । ପାଣିରେ ପ୍ରତିବିମ୍ବ ପଡ଼ିଥିଲେ ସେ ଛବିରେ ଯେମିତି ଥାଏ ଗୋଟିଏ ପୂର୍ଣ୍ଣତାର ଭାବ, ଏ ଠିକ୍‌ ସେମିତି । ଏ ପୂର୍ବ ଭାଗର ଅଭିନୟ ପରେ ଜଣକର ସାଙ୍ଗରେ ଆରକର ମିଳନରେ ଆସିବ ସେଇ ପୂର୍ଣ୍ଣତା....।

 

ଏ ଦୃଶ୍ୟପଟ ମୋର ମନ ଗହନରେ ଆଉ ଏକ ନୂତନ ପରଦା ଖୋଲି ଦେଇଥିଲା । ମୁଁ ଚିନ୍ତା ନିବିଷ୍ଟ ହୋଇ ଭାବୁଁ ଭାବୁଁ ନିଦ୍ରାଗତ ହୋଇଥିଲି ।

 

-ଚାରି-

ତହିଁ ଆରଦିନ ରମେଶକୁ ଯାଇ କହିଲି, “ବନ୍ଧୁ, ଅନେକ ଚେଷ୍ଟା ସତ୍ୱେ ଏତେ ଦିନକେ ଯାହା ପାଇ ପାରି ନାହିଁ ଆଜି ବିନା ପରିଶ୍ରମରେ ବିନା ଚେଷ୍ଟାରେ ପାଇ ଗଲି । ମୁଁ ଏବେ ତୁମମାନଙ୍କର । ନାମଟା ଲେଖିନିଅ । ଆଉ ‘‘ସେରିମନି’’ ପାଇଁ ଯା ଯା ଦରକାର ବୋଲ । ସଙ୍ଗେ ସଙ୍ଗେ ଅନୁଷ୍ଠାନଟିର ଶୁଭ ଉଦ୍‌ବୋଧନର ସମସ୍ତ ଆୟୋଜନ କର ।”

 

ବୈଚିତ୍ର୍ୟହୀନ ଜୀବନ ମଧ୍ୟରେ ବିତୃଷ୍ଣାର ଅନ୍ତ ଥିଲାନାଇଁ । ମୁଁ ଗୃହକୋଣରେ ଜଳି ପୋଡ଼ି ଯେମିତି ଦିନୁ ଦିନ ପ୍ରାୟ କ୍ଷୀଣରୁ କ୍ଷୀଣତର ହୋଇ ଯାଉଥିଲି ।

 

ଅସୀମକୁ ଉପଲବ୍‌ଧି କରିବାର ଯେଉଁ ଚିର ଜୀବନ୍ତ ଆଗ୍ରହ ମଣିଷର ମାନସ ରାଇଜରେ ନିଦ୍ରାଭିଭୂତ ଥାଏ, ଆଜି ସହସା ତାରି ଆହ୍ୱାନରେ ସାରା ଅନ୍ତର ମୋର ଅଧୀର ହୋଇ ଉଠିଛି । ଠିକ୍‌ ଏହି ସମୟରେ ଦେଖାହୁଏ ପରମ ପୂଜ୍ୟପାଦ ଗୁରୁଦେବଙ୍କ ସଙ୍ଗରେ ରମେଶର ଘରେ । ଗୁରୁଦେବ ମୋହର ଭୂମିଷ୍ଠ ଦଣ୍ଡବତ ଗ୍ରହଣ କରି ସବିନୟ ସହକାରେ ବୋଇଲେ, “ଆଚ୍ଛା ବରଜ, ମୁଁ ଯେ ଶୁଣୁଛି, ତୁମେ ନା କି ଏକଲବ୍ୟ ପରି ମୋତେ ଗୁରୁ ମାନିଛ । ବେଶ୍‌ ବେଶ୍‌, ମୋର ଗୁରୁ ଦକ୍ଷିଣାଟା ତେବେ କାହିଁ ?”

 

ଏଇ ଗୁରୁଦେବ ଏତେବଡ଼ ପ୍ରସିଦ୍ଧ ମହାପୁରୁଷ, ଯାର ନାମ କ୍ଷୁଦ୍ର ଦେଶର ଗଣ୍ଡି ଅତିକ୍ରମ କରି ଆଜ ବିଶ୍ୱବୁକୁର ଅନ୍ଧିସନ୍ଧିରେ ସୁଦ୍ଧା ବିକ୍ଷିପ୍ତ ହୋଇ ପଡ଼ିଛି । ଯାର ଭୟରେ ଭାରତର ରାଜଶକ୍ତି ଭୀତତ୍ରସ୍ତ ହୋଇ ଅବନତ ମସ୍ତକରେ ଗୁରୁଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ନିଜ ଦେଶକୁ ଫେରି ଯିବାକୁ ପଡ଼ିଛି ଏବଂ ଯାର ନିସ୍ୱାର୍ଥ ତ୍ୟାଗ ଦେଶକୁ ବିଦେଶୀ ରାଜଶକ୍ତିର କବଳରୁ ମୁକ୍ତ କରି ଦେଶକୁ ସ୍ୱାଧୀନ କରିଛି, ତାଙ୍କର ଶାନ୍ତିକାମ୍ୟ ନୀତିର ଆଦର୍ଶ ଗ୍ରହଣ କରି, ତାଙ୍କ ସାଙ୍ଗରେ ମୋର ଆଜି ସାମନା ସାମନା ଆଳାପ ଘଟି ଉଠିଛି । ଆନନ୍ଦ, ଗର୍ବ ଆଉ ମୋହରେ ମନ ମୋର ଆତ୍ମହରା ହୋଇଗଲା । ତାଙ୍କ ନିକଟରେ ଛିଡ଼ା ହୋଇ ଗୌରବମୟ ଦେଶର କାମରେ ଆତ୍ମନିୟୋଗ କରି ପାରିବି, ଏହାଠୁ ବଳି ବଡ଼ ସୌଭାଗ୍ୟ ମୋର ଆଉ କି ହୋଇପାରେ । ଗୁରୁଦେବଙ୍କ ପୟରେ ମୋର ମଥା ରଖି ଭକ୍ତିଗତି ପ୍ରଣାମ କରି କହିଲି, ‘‘ଗୁରୁଦେବ, ଆଜିଠାରୁ ଦେଶର ସେବାବ୍ରତ ଗ୍ରହଣ କଲି । ଆପଣଙ୍କୁ ଅଦେୟ ମୋର କିଛି ନାହିଁ ।’’

 

ସେହିଦିନଠାରୁ ମୋର ଜୀବନର ଗତି ନୂତନ ଧାରା ବାଛି ନେଲା । ପ୍ରଥମେ ହେଲା ମୋର ଅବିଶ୍ୱାସ, ତା’ ପରେ ଆଚ୍ଛନ୍ନ କଲା ବିସ୍ମୟ- ମନ ଭିତରେ ଏଇପରି ଗୋଟିଏ ପ୍ରବଳ ଦ୍ୱନ୍ଦ୍ୱ ଚାଲିଲା । ତା’ ଭିତରେ ଦେଖା ଦେଲା ଈର୍ଷା । ମାତ୍ର କ୍ଷଣକ ପାଇଁ ଥିଲା ତା’ର ସ୍ଥିତି । ତା’ ପରେ ଆଚ୍ଛନ୍ନ କଲା ବ୍ୟଥା । ବ୍ୟଥା- ହତାଶାର. ବ୍ୟଥା-ବ୍ୟର୍ଥତାର !

 

ଯୌବନର ଚଲା ପଥରେ ଯେ ଥିଲା ଅଧରା ପ୍ରିୟାର ସ୍ତୁତିଗାନା ରଚନା ନିଯୁକ୍ତ ଶେଲିର ଶିଷ୍ୟ କରି, ସେ ମରିଯାଇ ଆଜି ପୁଣି ଜନ୍ମଲାଭ କଲା । ଚଲା ପଥର ସମସ୍ତ ଦାବୀ ଗୋଟି ଗୋଟି କରି ମେଣ୍ଟାଇ ନେବାପାଇଁ ସେ ଆଜି ପୁଣି ନୂଆ କରି ପ୍ରସ୍ତୁତ ହେଲା ସବ୍ୟସାଚୀର ମନ୍ତ୍ର ଶିଷ୍ୟତ୍ୱ ଗ୍ରହଣ କରି ।

 

ଗୋଟିଏ ପ୍ରେରଣା ପାଇଲି, କର୍ତ୍ତବ୍ୟର-ତ୍ୟାଗର ପ୍ରେରଣା । ବିବାହର ଯେଉଁ ସମ୍ବନ୍ଧଟା ଚାଲିଥିଲା ବାଧ୍ୟ ହୋଇ ସେଟା ତ ଭାଙ୍ଗି ଦେବାକୁ ହେଲା । ଯଦିଚ ମୁଁ ବୁଝିଥିଲି ମୋର ଅନ୍ତରର ଆତୁରଣ ଓ ବ୍ୟର୍ଥତା । ବ୍ୟବିଧାନର ବ୍ୟୁହ ଭେଦ କରିବାର ଶକ୍ତି ଅଛି କାହାର ଯେତେଦିନ ରହିଅଛି ଏଇ ନିଷ୍ଠୁର ସମାଜ !

 

ମାଆ ରହସ୍ୟର ପ୍ରଥମ ଭୂମିକାଟି ବୁଝି ପାରି ନ ଥିଲେ । ତା’ ପରେ ୟା ତା ମୁହଁରୁ ଶୁଣିପାରି ଅସଲ ଖବରଟା ଠଅର କରି ଅକାରଣରେ କନ୍ଦା କଟା କରି ଏକ ଅନର୍ଥ ଭିଆଇ ବସିଲେ ।

 

ମୁଁ ବୁଝାଇଥିଲି, “ମା’, ଏମିତି ବୃଥା କନ୍ଦା କଟା କର ନା । ଲୋକେ ଶୁଣିଲେ ବୋଲିବେ କଅଣ ? ବରଂ.....!”

 

ଏକ ତରଫର କଥାଟା ଯଥାର୍ଥ ବୁଝିସାରି ମା’ କିଞ୍ଚିତ୍‌ ଆଶ୍ୱସ୍ତ ହୋଇଥିଲେ । ସେଇ ଦିନ ଠଉଁ ସେ ଆଉ ଏ କଥାର କୌଣସି ଦ୍ୱିରୁକ୍ତି ନ କରି ଚୁପ୍‌ ରହିଲେ । କିନ୍ତୁ ଅନ୍ତରର କ୍ରମ ବର୍ଦ୍ଧିତ ଉଦ୍‌ବେଗ ତାଙ୍କର ସର୍ବ ଶରୀରକୁ ଯେ ଦିନକୁ ଦିନ ଜୀର୍ଣ୍ଣ ଶୀର୍ଣ୍ଣ କରି ପକାଉଥିଲା ଏହା ମୁଁ ସ୍ପଷ୍ଟ ବୁଝି ପାରିଥିଲି । ହେଲେହେଁ ମୋର ଅବା ଚାରା କଅଣ ? ମୁଁ ତ ସେତେବେଳେ ଗୁରୁଦେବଙ୍କ ନିକଟରେ ସତ୍ୟ କରି ସାରିଛି ।

 

ସେଦିନ ସ୍ୱଇଚ୍ଛାରେ ଯେତେବେଳେ ବିବାହ ସମ୍ବନ୍ଧଟା ଭାଙ୍ଗି ଦେଇଥିଲି ସତକୁ ସତ ସ୍ୱର୍ଣ୍ଣ ବିସ୍ମିତ ଓ ଆଶ୍ଚର୍ଯ୍ୟାନ୍ୱିତ ହୋଇଥିଲା । ସେ ଭାବିଥିଲା ଏ ବିବାହରେ ମୋର ପୂରାପୂରି ମତ ଅଛି ଏବଂ ତାହା ମୁଁ ନିଶ୍ଚୟ କରିବି ।

 

ସେ ଦିନ ସୁଯୋଗ ପାଇ ମୁଁ ମଧ୍ୟ ଛାଡ଼ିଲି ନାହିଁ । ସ୍ୱର୍ଣ୍ଣର ବିସ୍ମିତ ଦୃଷ୍ଟି ମୁଁ ଉପେକ୍ଷା କରି ଟିକିଏ ରସିକତା କରି କହିଲି, “ଶୁଣ ସ୍ୱର୍ଣ୍ଣ, ମୋର ବ୍ୟର୍ଥ ଜୀବନର ଦିନ ଗୁଳି ଆଲୁଅ ଅନ୍ଧାରର ମଧ୍ୟ ଦେଇ ଏକ ପ୍ରକାର କଟିଯିବ । କିନ୍ତୁ ଦୁଇ ତ କେବେ ତିନି ହୁଏନା ସ୍ୱର୍ଣ୍ଣ । ଆଉ ଜଣକୁ ଘରକୁ ଆଣି ସାରା ଜୀବନ ତାରି ସଙ୍ଗରେ ମିଛ ଅଭିନୟ କରି କଟାଇବା, ସୁଖର ମିଳନରେ ଠିକ୍‌ ବ୍ୟଥାର ଚାପ ପଡ଼ିଲା ପରି ହେବ ସ୍ୱର୍ଣ୍ଣ ।”

 

କଥା ଶୁଣି ସ୍ୱର୍ଣ୍ଣ ନୀରବ ହୋଇ ଛିଡ଼ା ହୋଇ ରହିଲା । ଆଗ ପରି ସେ କୌଣସି ରହସ୍ୟ ତରଳ ପ୍ରତ୍ୟୁତ୍ତର ଦେଇପାରିଲା ନାଇଁ । ତାର ମଉନ ଚକ୍ଷୁର ଗଭୀର ଦୃଷ୍ଟିର ଅନ୍ତରାଳରେ ଅନ୍ତରର ଗୋପନତମ ଅକଥିତ ବାଣୀ ମୁଖର ହୋଇ ଉଠିଲା ।

ଆକାଂକ୍ଷା ଦୀପ୍ତ ଜୀବନର ଅଗଣାରେ ଆଜି ନିରାଶାର ଗାଢ଼ଛାୟା ଘନାଇ ଆସିଛି ।

 

ମୋର କର୍ମମୟ ଜୀବନର ଗୁରୁ ଗମ୍ଭୀର ଆହ୍ୱାନ ଆସି କାନରେ ବାଜୁଥାଏ । ହଠାତ୍‌ ମନରେ ପରିବର୍ତ୍ତନ ଆସୁଥିଲା ଏଇ ଭାବି ଯେ, ଏଇପରି ଅପ୍ରତ୍ୟାଶିତ ଭାବରେ ବିବାହ ବନ୍ଧନ ଛିନ୍ନ କରିବା ଅନ୍ତତଃ ମୋ ପକ୍ଷରେ ଉଚିତ୍‌ ହୋଇନାହିଁ । କିନ୍ତୁ ମଣିଷ ବେଚାରିର ଦୋଷ କି ? ସେ ଭାବେ ଏକ, କରେ ଏକ । ମନୁଷ୍ୟ ଯେତେବେଳେ ଗୋଟାଏ ଜିନିଷ ହରାଇବାକୁ ବସେ ସେତିକିବେଳେ ସେ ବୁଝେ ତାର ମର୍ମ । ଯେଉଁ ବୈଚିତ୍ର୍ୟହୀନ ଗୌରବମୟ ଦେଶର କାମଟା ମୁଣ୍ଡାଇବାକୁ ପ୍ରଥମେ ଏତେ ବୈତିତ୍ର୍ୟହୀନ ଲାଗୁଥିଲା ପୁଣି ମୋର ମନେ ହେଲା ଯେପରି ତାର ପ୍ରତିମୂହୂର୍ତ୍ତ ଗୋଟିଏ ଗୋଟିଏ ସୁଖସ୍ମୃତି ଧରି ରଖିଛି । କର୍ମହୀନ ଦିନର ଅଳସ ଜୀବନ ଧାରା ଭିତରେ କର୍ତ୍ତବ୍ୟର ବାଧା ମୋର ଅନ୍ତରକୁ ସଙ୍କୁଚିତ କରିଦେଲା ଗୋଟାଏ ଉଦାସୀନତା ଆସିଲା-। ମୋର ମନ ଚାହିଁଲା ଯେମିତି କଟୁଥିଲା ଦିନ ସେମିତି କଟୁ । ମାତ୍ର ଅଜ୍ଞାତ ଭବିଷ୍ୟତ ପାଇଁ ବର୍ତ୍ତମାନର ଅନେକ ସୁଖ ତ୍ୟାଗ କରିବାକୁ ହୁଏ ।

 

ସ୍ୱର୍ଣ୍ଣର ବିଗତ ଶାନ୍ତ ଦିବସଗୁଡ଼ିକର ଆନନ୍ଦ ଚଞ୍ଚଳ ସୁଖସ୍ମୃତିଚୟ ବର୍ତ୍ତମାନର କର୍ମମୟ ଜୀବନ ଧାରା ମଧ୍ୟଦେଇ ଥରେ ଥରେ ଦେଖାଦେଇ ସାରା ଅନ୍ତର ମୋର ଉଦ୍‌ବେଳିତ କରିଦିଏ ।

 

-ପାଞ୍ଚ-

ତହିଁ ଆରଦିନ ରମେଶ ନିକଟରୁ ସଦ୍ୟପ୍ରାପ୍ତ ଟେଲିଗ୍ରାମଟିର ଜବାବ ଖସଡ଼ାଟିଏ ମୁଁ ପ୍ରସ୍ତୁତ କରାଇ ନେଉଥିଲି । ସ୍ୱର୍ଣ୍ଣ ଆସି କହିଲା, ବରଜ ବାବୁ, ଆପଣ ଏଡ଼େ ମିଥ୍ୟାବାଦୀଟିଏ ବୋଲି ମୁଁ ଜାଣି ନ ଥଲି ।”

 

ମୁଁ ଚକିତ ହୋଇ ପଚାରିଲି, “ମୁଁ –କାହିଁକି ?”

ସ୍ୱର୍ଣ୍ଣ କହିଲା, “ନାଇଁତ କଅଣ ? ବିବାହ ସମ୍ବନ୍ଧଟା ଯେଉଁଥି ପାଇଁ ଆପଣ ଭାଙ୍ଗିଦେଲେ ମୁଁ କି ଜାଣିନି ।”

 

ସ୍ୱର୍ଣ୍ଣ ଆସିଥିଲା ମୋତେ ଅନୁନୟ କରିବାକୁ ବୋଧହୁଏ ଏକ ଅନୁନୟର ସୁର ଧରି । ସ୍ମିତ ମୁଖରେ ମୁଁ ତା ଆଡ଼କୁ ଅନାଇଲି । ସେତେବେଳକୁ ମୁଁହଟି ତାର ଚୂର୍ଣ୍ଣ ରକ୍ତ ରାଗରେ ମଣ୍ଡିତ ହୋଇ ଯାଇଥିଲା । ସାରା ଅଙ୍ଗ ପ୍ରତ୍ୟଙ୍ଗ, ତନୁ ଭଙ୍ଗିମା, ଗ୍ରୀବାର ଭଙ୍ଗୀ, ଅଧରର ଚାହାଣି-ଛଟା, -କିଏ ବୁଝିବ ତାର ଏ ସବୁର ଅର୍ଥ ?

 

ମା’ଙ୍କ ନିକଟରୁ ସମ୍ଭବତଃ ସେ ଆମୂଳ ଚୁଳ ସମସ୍ତ ଖବର ସଂଗ୍ରହ କରି ନେଇଥିଲା । ସମସ୍ତଙ୍କୁ ଭୁଲି ମାଆ ଯେ କି ହେତୁ ଏଇ ରୂପସୀ ବାଳାକୁ ଅବଲମ୍ବନ କରି ପ୍ରାଣର ରୁଦ୍ଧ ବେଦନା ଭରା ଅକଥିତ ଗୋପନତମ କଥା ତା ଠେଇଁ ବ୍ୟକ୍ତ କରି ଦିଅନ୍ତେ ତାର କାରଣ ମୁଁ ଆଜି ପର୍ଯ୍ୟନ୍ତ ଖୋଜି ପାଇନି । ଥରେ ଥରେ ଏଇ ରୂପସୀ ତରୁଣୀର କେତେ ଗୋପନତମ କଥା ମନେ ପଡ଼ି ସାରା ଅନ୍ତର ମୋର ଘାରି ଦିଅନ୍ତା ।

 

କିୟତ୍‌କ୍ଷଣ ପାଇଁ ସେ ସେଇଠି ସେହିପରି ନୀରବରେ ଛିଡ଼ା ହୋଇଥିଲା । ଟକୁରା ଟକୁରା ମୁକ୍ତାର ପରି ତାର ନୟନର ଦୁଇ କୋଣରୁ ଗୋପନ ବେଦନାପୂର୍ଣ୍ଣ ଲୋତକ ଧାରା ନୀରବରେ ଝରି ଯାଉଥିଲା ନିର୍ଝରିଣୀର ପରି ।

 

ତାରି ଅନୁନୟ ଓ ମିନତି ମୋତେ ଆଉ ଭଲ ଲାଗିଲା ନାହିଁ । ତା ଆଡ଼କୁ ଅନାଇ ମୁଁ ବୋଇଲି, “ଦେଖ ସ୍ୱର୍ଣ୍ଣ, ଏଇ ଜୀବନର ପରିପୂର୍ଣ୍ଣତାର ସନ୍ଧିକ୍ଷଣରେ ଆସି ଏଇ ଶୁଷ୍କ ନିବେଦନ ତୁମ ମୁହଁରେ ଆଜି ବଡ଼ ବେଜମାନା ଦିଶିଲା । ଅନ୍ତତଃ କିଛିଦିନ ଆଗରେ ଯଦି କହିଥାନ୍ତ....।”

 

ସୁରେଶ ସଙ୍ଗରେ ସ୍ୱର୍ଣ୍ଣର ବିବାହର ଯେ ସମ୍ପୂର୍ଣ୍ଣ ସ୍ଥିର ହୋଇ ସାରିଛି ସେ ଖବର ମୁଁ ବହୁ ଆଗରୁ ପାଇଥିଲି ।

 

ଯେତେବେଳେ ମୋର ବିବାହର କଥା ଚାଲୁଥିଲା ସେତେବେଲେ ମୋର ମୌନତାକୁ ସମ୍ମତିର ଲକ୍ଷଣ ଭାବି ନେଇ ସ୍ୱର୍ଣ୍ଣ ମୋତେ ପରିହାସ କରି କହିଥିଲା, “ଶୁଣି ବଡ଼ ଖୁସିଟାଏ ହେଲି ଯେ ମୋର ଭବିଷ୍ୟତର ଅନେକ ଦୁର୍ଭାବନା ବି ଦୂରୀଭୂତ ହେଲା ।” ଏଇତ ସେଇ ସ୍ୱର୍ଣ୍ଣ, ଯାର ମୁହଁରୁ ଏପରି ରୂଢ଼କଥା ଦିନକରେ ମୋ ଠେଇଁ ଆତ୍ମ ପ୍ରକାଶ କରିଥିଲା ।

 

ସ୍ୱର୍ଣ୍ଣ ମୋ ଆଡ଼କୁ ଲକ୍ଷ୍ୟ କରି ପୁଣି କହିଥିଲା, ‘‘ହଁ, ଆଉ ଗୋଟିଏ କଥା ବରଜ ବାବୁ, ମୋ ନିକଟରୁ ଯେଉଁ ସ୍ମୃତି ଚିହ୍ନ ଚାହିଁଥିଲେ ନେବେ କାହିଁକି ? -ଅର୍ଥାତ୍ ଗୋଟିଏ କି ଦିଓଟା ପୁରୁଣା ଛିଣ୍ଡା ବହି ଆଉ ମୋର ଟିକିଏ କେଶ କବରୀ ବନ୍ଧା ଫିତା- ?’’

 

ସ୍ୱର୍ଣ୍ଣ ମୋ ଆଡ଼କୁ ସେଇ ନିଷ୍ଠୁର ବିଦ୍ରୁପାତ୍ମକ ପରିହାସରେ ନିଜେହିଁ କେବଳ ଉଚ୍ଛ୍ୱସିତ ହୋଇ ହସିଥିଲା । କିନ୍ତୁ ସେଟା ଯେ କିପରି ନିଷ୍ଠୁର ଓ ନିର୍ମମ ହୋଇ ଆଉ ଜଣକର ଅନ୍ତରରେ ଏକ ଦୁଃସହ ଦୁର୍ବାର ଶେଲ ବିନ୍ଧିପାରେ ତା ସେ ବୁଝିବାକୁ ବୋଧହୁଏ ଚେଷ୍ଟା କରି ନାଇଁ ।

 

ଆଜି ସୁଯୋଗ ପାଇ ମୁଁ ତାର ସେଇ ଦିନକର କଥାର ପ୍ରତ୍ୟୁତ୍ତର ଦେବାକୁ ଯାଇଥିଲି । ମୁଁ ବୋଇଲି, “ବନ୍ଧୁମାନଙ୍କ ନିକଟରୁ ଏତେଦିନ ଶିକ୍ଷା ଲାଭ କରି ଆଜି ସହସା ଏମିତି ଦୁର୍ବଳତା ପ୍ରକାଶ କରିବା ତୁମର କଦାପି ଉଚିତ୍‌ ହୋଇନି ସ୍ୱର୍ଣ୍ଣ । କେହି ଯଦି ଏ କଥା ଶୁଣନ୍ତା ତା ହେଲେ ହୁଏତ କହନ୍ତା, ସ୍ୱର୍ଣ୍ଣଟା ନିହାତି କି ଦୁର୍ବଳ, ମନର କଥା ଅତି ସହଜରେ ପ୍ରକାଶ କରି ପକାଏ ।”

 

ମୋହର ଏଇ ଅପ୍ରତ୍ୟାଶିତ କଠିନ ପରିହାସ ମୂହୂର୍ତ୍ତକ ପାଇଁ ତାର ସଜଳ ଅଶ୍ରୁ ଉତ୍ସକୁ ଯେମିତି ଶୁଷ୍କ ଓ ପାଷାଣ କରି ଦେଇଥିଲା । ଧୀରେ ଧୀରେ ସେ ସେଠାରୁ ଚାଲି ଯାଇଥିଲା ।

 

ମୁଁ ମନରେ ଗୋଟିଏ ଆଶ୍ୱସନା ପାଇ ଭାବିବାକୁ ଲାଗିଲି-କୌଣସି ପ୍ରକାର ବଞ୍ଚାଗଲା ଯାହାହେଉ, ଏତେ ଦିନକେ ଗୋଟାଏ ତରଫର ଅମୀମାଂସିତ ଗୋପନତମ ଦ୍ୱନ୍ଦ୍ୱର ମିମାଂସା ହୋଇ ଏ ଦିଗର ପଥଟି ସମ୍ପୂର୍ଣ୍ଣ ପରିଷ୍କାର ତ ହୋଇଗଲା ।

 

ମୁଁ ସଶରୀରେ ପ୍ରସ୍ତୁତ ହୋଇ ରମେଶକୁ ଖବର ଦେଲି-ମୁଁ ତିନିଦିନ ଭିତରେ ରଓ୍ୟାନା ହେଉଛି । ମନର ଆନନ୍ଦ ଓ ଅନ୍ତରର ଉଚ୍ଛ୍ୱାସକୁ ଚାପି ରଖି କିୟତ୍‌କ୍ଷଣ ଚିନ୍ତା ନିବିଷ୍ଟ ହୋଇ ଭାବିଲି-ଏହି ଜଟିଳ ଦୁଶ୍ଚିନ୍ତାରୁ ମୁକ୍ତି ପାଇବାକୁ ହେଲେ ନିଜକୁ ଦୂରରେ ରଖିବା ଭଲ ।

 

-ଛଅ-

ସ୍ୱର୍ଣ୍ଣର ବିଭାଘର ଦିନ ଆଗେଇ ଆସୁଥାଏ । ଫେର୍‌ ଏଆଡ଼େ ମୋର ଦୀକ୍ଷା ନେବାର ଦିନଟା ବି ସନ୍ନିକଟତର ହୋଇ ଆସୁଥାଏ ।

 

ଯେ ସୁନ୍ଦରୀର ପରଶ ସମ୍ପର୍କରେ ପୁରୁଷ ଅଲକ୍ଷିତରେ କେତେ ପ୍ରେରଣା ପାଇ ଜୀବନର ଗତିକୁ ମାର୍ଜିତ କରି ନିଏ ଓ ଯାହାର ଅମଳ ଆକର୍ଷଣରେ ମନୁଷ୍ୟ ଦେବତ୍ୱ ଲାଭ କରେ, ତାକୁ ପୁଣି ଘୃଣ୍ୟ ଚିତ୍ରରେ ଚିତ୍ରିତ କରି ସଂସାରବାସୀ କାହିଁକି ବା ଜଡ଼ତାର ପରିଚୟ ଦିଏ ? ହୃଦୟ ତନ୍ତ୍ରୀରେ ଯେ ରାଗିଣୀ ସୁସ୍ୱରେ ବାଜି ଉଠେ, ତାହାକୁ କାହାର ପ୍ରଭାବ କ୍ଷୀଣ କରି ନୈରାଶ୍ୟର ଛାୟାକୁ ସମ୍ମୁଖରେ ଆଙ୍କିଦିଏ ? ଯେ ଭାବ, ଜୀବନର ଦୈନ୍ୟକୁ ଦୂର କରି କଳ୍ପନା ରଚିତ ଗୋଟାଏ ଅପାର୍ଥିବ ଉପଭୋଗ୍ୟ ବସ୍ତୁ ସୃଷ୍ଟି କରିଥାଏ, ତାକୁ ସହସା ଭିନ୍ନ ଆଲୋକରେ କିଏ ରଞ୍ଜିତ କରେ? ଯାହାକୁ ଅବଲମ୍ବନ କରି ମନୁଷ୍ୟ ଶତବାଧା ଅତିକ୍ରମ କରିଥାଏ ତାକୁ କାହା ଆଦେଶରେ ଅକାତରେ ତ୍ୟାଗ କରିବାକୁ ପ୍ରୟାସୀ ହୁଏ । ସୁଖର ସଂସାର ଚିତ୍ର କରି ନିସ୍ୱାର୍ଥ ପ୍ରେମ ବିନିମୟରେ କାଳ ଫଣିନୀର ବଶ୍ୟତା ସ୍ୱୀକାର କରିବାକୁ କିଏ ତାକୁ ପ୍ରେରଣା ଦିଏ ଏଇସବୁ ମାନବ ସମାଜର ଅବିରାମ ପରିବର୍ତ୍ତନ ଦେଖି ମାନବ ଚରିତ୍ରକୁ ବିଶ୍ଳେଷଣ କଲେ ମନରେ ଗୋଟାଏ ଭୀଷଣ ଜଟିଳତା ପ୍ରକଟିତ ହୁଏ ।

 

ସେହିପରି ମୁଁ ଆଜି ସ୍ନେହର ନିର୍ଭର ନୀଡ଼ ଛାଡ଼ି ଘୁରୁଣୀ ଝଡ଼ବତାସ ମଧ୍ୟରେ ମୋହର ଅନ୍ତର ନିକ୍ଷିପ୍ତ କରିବାକୁ ଯାଉଛି । ବ୍ୟାକୁଳ ମନଟା ମୋର ଏଇ କେତେଦିନ ଧରି ବାର ବାର ଅନ୍ୟମନସ୍କ ହୋଇ ଉଠୁଥିଲା । ସହସା ଦିନକରେ ସମସ୍ତଙ୍କ ଅଜ୍ଞାତ ସାରରେ ମୋର ଯାତ୍ରା ସୁରୁ କରିଦେଲି ।

 

ସ୍ନେହର ନିବିଡ଼ ବନ୍ଧନ ଛିନ୍ନ କରି ଆସିବାର ପଶ୍ଚାତରେ ଯେ ବ୍ୟାକୁଳ କ୍ରନ୍ଦନ ଗୁଞ୍ଜରୀତ ହୋଇଗଲା ପଥର ବହୁଦୂର ପର୍ଯ୍ୟନ୍ତ ଯାତ୍ରା ପଥିକର ଅନ୍ତର ବିହ୍ୱଳିତ କରି ପକାଏ, ମୋର ବିଦାୟ କ୍ଷଣର ସେ କରୁଣ ମିନତି ଭରା ରାଗିଣୀ ଧ୍ୱନିତ ହେବାର ବହୁପୂର୍ବରୁ ହିଁ ଏକ ଘନ ବାଦଲ ଅନ୍ଧକାର ରାତିରେ ଯାତ୍ରା ମୋର ଆରମ୍ଭ ହୋଇଗଲା ।

 

ଯିବାର ପୂର୍ବଦିନ ସ୍ୱର୍ଣ୍ଣକୁ ନିରୋଳାରେ ପାଇ କହିଥିଲି, “ମୁଁ କାଲି ଯାଉଛି ସ୍ୱର୍ଣ୍ଣ !”

ମୋର ଏଇ ଦରଖଣ୍ଡିଆ କଥା ପଦକ ଶୁଣି ସେ ଅଳ୍ପକ୍ଷଣ ପର୍ଯ୍ୟନ୍ତ ସେଇଠି ଅବାକ୍‌ ହୋଇ ଛିଡ଼ା ହୋଇ ରହିଥିଲା ବୋଧହୁଏ ନିଜକୁ ସମ୍ବରଣ କରି ନ ପାରି । ତାର ପରେ ଧୀରେ ଧୀରେ ସେ କହିଥିଲା, “ଏଇ କେତୁଟା ଦିନ ବାଦ୍‌ ଦେଇଗଲେ ଭଲ ହୁଅନ୍ତା ନାଇଁ ବରଜ ବାବୁ ?”

 

ମୁଁ କହିଥିଲି, “ନା ସ୍ୱର୍ଣ୍ଣ ମୋହର ପୁଣି ଅନ୍ୟ କାମ ଅଛି ଯେ- । ମୋତେ ନିଶ୍ଚୟ କାଲି ଯିବାକୁ ହିଁ ହେବ !”

 

ସ୍ୱର୍ଣ୍ଣ କହିଥିଲା, “ବେଶ୍‌, ତାହାହେଲେ ଯିବା ଆଗରୁ ପା ଦଧୂଳି ଦେଇ ଯାଅ ବରଜ ବାବୁ, ଯାହା ମଥାପାତି ଗ୍ରହଣ କରି ଏଇ ହତ-ଭାଗିନୀ ନିଜକୁ ଚିର କୃତଜ୍ଞ ମନେ କରିବ ।”

 

ସେଦିନ ପ୍ରଥମ ସେ ମୋର ଯୁଗଳ ପୟରେ ମଥା ରଖି ପ୍ରଣାମ କରି ତାର ଆତ୍ମ ନିବେଦନ ଜଣାଇଥିଲା । ସେଇ ତାର ପ୍ରଥମ- ସେଇ ତାର ଶେଷ । ସତେ ଯେପରି ସେ କି ଆକୁଳ ନିବେଦନ ! ସେଇଦିନ ତାର ସମସ୍ତ ସମ୍ବଳ ମୋର ଯୁଗଳ ପୟରେ ଅଜାଡ଼ି ଦେବାକୁ ଚାହିଁଥିଲା ।

 

ସୃଷ୍ଟିର ପ୍ରଥମାରମ୍ଭରୁହିଁ ଏଇ ନିଃଶେଷିତ ଆତ୍ମଦାନ ପୁରୁଷ ମନକୁ ଚିରଦିନ ଧରି ଜୟ କରି ଆସିଛି।

 

ଯଥାସାଧ୍ୟ ନିଜକୁ ସଂଯତ କରିନେଇ ମୁଁ ସେ ଦିନ କହିଥିଲି, “କେହି କେବେ କୌଣସି ମୂହୂର୍ତ୍ତରେ ସୁଦ୍ଧା ମୋ ନିକଟରୁ ଇମିତି ଭାବରେ ଆଶୀର୍ବାଦ ଚାହିଁନି । କି ଆଶୀର୍ବାଦ ଦେବି ତାହା ମୋର ଏ କ୍ଷୁଦ୍ର ଚଞ୍ଚଳ ମସ୍ତିଷ୍କରେ ଖୋଜି ପାଉନି ସ୍ୱର୍ଣ୍ଣ !”

 

କ୍ଷଣକାଳ ପର୍ଯ୍ୟନ୍ତ ମୁଁ ତା’ ଠାରୁ କୌଣସି ଉତ୍ତର ପାଇ ପାରି ନଥିଲି ।

ଆଜି ୟାରି ପ୍ରତିବାଦର ପ୍ରଖରତା, ପରିହାସର ଚଞ୍ଚଳତା ୟାରି ତରଳ କଳକଣ୍ଠ, ସମସ୍ତ ଆଜି ଗୋଧୂଳିର ଛାୟାଚ୍ଛନ୍ନ ବେଳାଭୂମିର ନ୍ୟାୟ ସ୍ତିମିତ, ଆଚ୍ଛନ୍ନ ହୋଇ ପଡ଼ିଛି । ଏ ଆଜି ଆହତା, ଏ ଆଜି ପରାଜିତା ।

 

କିଛି ସମୟ ସମାପନାନ୍ତେ ନିସ୍ତବ୍‌ଧତା ଭଙ୍ଗ କରି ସେ କହିଥିଲା, “ଆଶୀର୍ବାଦ କରନ୍ତୁ, ଯେପରି ଏ ହତଭାଗିନୀ ପର ଜନ୍ମରେ ଆପଣଙ୍କୁ.......।” ମୁଁ ତ୍ରସ୍ତ ହୋଇ କହିଲି, “ମୁଁ କିନ୍ତୁ ପରଜନ୍ମ କଥା ମୋଟେ ଯେ ବିଶ୍ୱାସ କରେ ନାଇଁ ତୁମେ ତା’ ବୋଧହୁଏ ଜାଣ ସ୍ୱର୍ଣ୍ଣ ।”

 

ସ୍ୱର୍ଣ୍ଣ ମାଟିର ପ୍ରତିମା ପରି ସେଇଠି ଠିଆ ହୋଇ ରହିଥିଲା ।

ମୁଁ ସେଇଦିନ ଅତି ଧୀର ଓ ସହିଷ୍ଣୁ ଭାବରେ ପ୍ରବୋଧନା ଦେଇ କହିଥିଲି, “ଆଶୀର୍ବାଦ କରୁଛି ସ୍ୱର୍ଣ୍ଣ, ତୁମେ ଚିର ସୁଖିନୀ ହୁଅ ।”

 

ସାମାନ୍ୟ ସାଧାରଣ ଶୁଭେଚ୍ଛା ମାତ୍ର । କିନ୍ତୁ ସେଇ ଦିନକର ସେ ଆଶୀର୍ବାଣୀ ମୋର ଅନ୍ତରର ଅନ୍ତସ୍ଥଳୀରୁ ଉଚ୍ଚାରିତ ହୋଇଥିଲା । ସେ ଆହତା ଓ ଦୀନା ମୋ ଅପେକ୍ଷା ଶତ ଗୁଣରେ, ମୁଁ ପରେ ବୁଝିଥିଲି ।

 

ତାରି ଆଧୁନିକତାର ନିଷ୍କାରୁଣ୍ୟ, ତା’ରି ଶିକ୍ଷାର ଗର୍ବ, ପୁରୁଷ ପ୍ରତି ଯେଉଁ ଦାରୁଣ ଅବଜ୍ଞା ସମସ୍ତ ଯା କିଛି ଶେଷ ପର୍ଯ୍ୟନ୍ତ ତାକୁ ପରାଜୟର ହାତରୁ ଯେ ରକ୍ଷା କରି ପାରି ନାହିଁ, ଏହା ମଧ୍ୟ ସେହିଦିନ ମୁଁ ସ୍ପଷ୍ଟ ବୁଝିଥିଲି ।

 

କିନ୍ତୁ ଏ ସମସ୍ତ ବୁଝିବା ବହୁ ପୂର୍ବରୁ ମୁଁ ମୋର ପରିବର୍ତ୍ତିତ ପଥ ଧରି ଗତି କରି ସାରିଛି । ମଣିଷ ତ ଆଉ ଦୁଇ ନାଆରେ ଗୋଡ଼ ଦେବା ସୁବିଧା ନୁହେଁ । ଏଣୁ ଜୀବନର ପରିବର୍ତ୍ତିତ ପଥର ନୂତନ ଆନନ୍ଦ ଓ ଅଭିବ୍ୟକ୍ତି ମୋର ଜୀବନର କଳ୍ପନାକୁ ବାସ୍ତବ ରୂପ ଦେବାରେ ଉତ୍ସାହିତ କରି ଭିନ୍ନ ପଥର ଅନୁସରଣ ଏହାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବୋଲି ମୁଁ ଆଜି ଅନୁମାନ କରେଁ ।

 

-ସାତ-

ଆଜକୁ ଦୁଇ ବର୍ଷରୁ ବେଶୀ ହୋଇଯିବ ମୁଁ ମୋର କର୍ମମୟ କଳେବରକୁ ନୂତନ କର୍ମ ଯୋଜନାର ଯାତ୍ରା ପଥରେ ସମ୍ପୂର୍ଣ୍ଣରୂପେ ନିୟୋଗ କରି ଦେଇଛି ଓ କର୍ମ ବ୍ୟସ୍ତ ଜୀବନର ଭାରାକ୍ରାନ୍ତ ଦେଶ ଅନୁସନ୍ଧିତ୍ସା, ଦେଶ ଓ ଦଶର ଉପକାର ପାଇଁ ଆପ୍ରାଣ ଚେଷ୍ଟା କରି ଚାଲିଛି ।

 

ମାନବର ଯାତ୍ରା ପଥରେ ଯେପରି ନୂତନ ସମସ୍ୟା ଦେଖାଦିଏ ସେପରି ତାର ସଭ୍ୟତାର, ନୀତିର ଧାପ ମଧ୍ୟ ପରିବର୍ତ୍ତିତ ହୋଇଯାଏ । ସେଥିପାଇଁ ଗୋଟିଏ ଯୁଗର ନୀତିର ସଙ୍ଗରେ ଆଉ ଗୋଟିଏ ଯୁଗର ନୀତିର ସାମଞ୍ଜସ୍ୟ ରହେ ନାହିଁ । ପିତୃ ପିତାମହ ଦିନେ ଯେଉଁ ପଥରେ ଚାଲି ଚାଲି ସୁଖ ସ୍ୱାଚ୍ଛନ୍ଦ୍ୟରେ ଦିନାତିପାତ କରି ପାରୁଥିଲେ ସେ ପଥ ଯଦି ବର୍ତ୍ତମାନର ମାନବକୁ ସୁଖର ସନ୍ଧାନ ଦେଇ ନ ପାରେ, ସେଥିରେ ଆଶ୍ଚର୍ଯ୍ୟ ହେବାର କିମ୍ବା ଅଭିଯୋଗ କରିବାର କାରଣ କିଛି ନାହିଁ । କିନ୍ତୁ ଘୋର ସଂସ୍କାର ପ୍ରିୟ ମାନବ ସହଜରେ ତାକୁ ଗ୍ରହଣ କରିବାକୁ ସ୍ୱୀକୃତ ନ ହୋଇ ଦ୍ୱନ୍ଦ୍ୱ ଆରମ୍ଭ କରି ଅନ୍ୟ ପଥର ପ୍ରଦର୍ଶକ ହୋଇଥାଏ । ପୃଥିବୀର ସମସ୍ତ ବିପ୍ଲବର ମୂଳରେ ଏଇ ଗୋଟିକ ସତ୍ୟ-ନୂତନ ଧାରା ସଂଗରେ ପୁରାତନ ସଂସ୍କାରର ସଂଘର୍ଷ!

 

ତୃଷ୍ଣା ? ତୃଷ୍ଣା ନିବାରଣ କରିବା ଖୁବ୍ ଉଚିତ୍‌ । ତା ବୋଲି ସହଜ ମନୁଷ୍ୟ କି ସ୍ୱାଭାବିକ ତୃଷ୍ଣା ଘେନି କେବେ ନାଳରୁ ପଙ୍କିଳ ପାଣି ପିଇ ପାରେ ?

 

ମୁଁ କିନ୍ତୁ କିସର ମୂଲ୍ୟ ଦେଇ ଏଇ ମୃତ୍ୟୁ ପଥର ପାଥେୟ ସଂଗ୍ରହ କରିଛି- ଆଜି ସେଇ ପଥରେ ଚାଲୁ ଚାଲୁ ଥରେ ଥରେ ଭାବେଁ ।

 

ସେଇ ଦିନକର କଥା ସେଇ ପୌରୁଷର ଗର୍ବ, ତ୍ୟାଗର ଆନନ୍ଦ, ଅତୀତ ସୁଖ ସ୍ମୃତିର ଗୌରବ, -ଆତ୍ମ ପ୍ରସାଦର ଏଇ ସମସ୍ତ ଅନୁଭୂତିର ଅନ୍ତରାଳରେ ଯେଉଁ ଦୁର୍ବଳତା ଆତ୍ମଗୋପନ କରିଥିଲା ଆଜି ବି ତ ତାକୁ ସଂପୂର୍ଣ୍ଣ ଜୟ କରି ପାରି ନାହିଁ । ଆଜି ବି ମାତାଦେବୀଙ୍କର ସେଇ ମମତା କାତର ପୂର୍ଣ୍ଣ ମୁହଁଟି ମୋର ମନେ ପଡ଼େ । ଆଜି ବି ମୋର ସେବା ପରାୟଣା ଭଗ୍ନି ରୂପର ଅଜସ୍ର ଯତ୍ନର କଥା ମୋର ମନେ ଜାଗେ । ଆଜି ବି ସୁନ୍ଦରୀ ସ୍ୱର୍ଣ୍ଣର ଦୃପ୍ତ କଥା ଗୁଳି ମୋହର ନିବିଡ଼ ଅନ୍ତରର ଅନ୍ତ ସ୍ଥଳରେ ଗୁଣୁ ଗୁଣୁ ଗୁଞ୍ଜରିତ ହୁଏ ।

 

ଯେତେବେଳେ କଥା ଛଳରେ ମୁଁ ମୋର ଭବିଷ୍ୟତ ଜୀବନର ମୁଖ୍ୟ ବ୍ରତଟାକୁ ସମର୍ଥନ କରନ୍ତି, ସେତେବେଳେ ସ୍ୱର୍ଣ୍ଣ ତାରି ପ୍ରତିବାଦର ଉଗ୍ରତାରେ ପ୍ରଖର ହୋଇଉଠନ୍ତା ।

 

ମୁଁ କହିନ୍ତି, “ଜାଣ ସ୍ୱର୍ଣ୍ଣ, ବିଶ୍ୱ ମାନବର ମୁକ୍ତି ପାଇଁ ମହା ମାନବର ଏ ଅଭିଯାନ । ତାର କଲ୍ୟାଣ ପାଇଁ ନିଜର ତୁଚ୍ଛ ସ୍ୱାର୍ଥ ଯେ ତ୍ୟାଗ କରିବା ନିହାତି ଦରକାର ତୁମେ ବୋଧହୁଏ ସ୍ୱୀକାର କର । ଆଉ ତ୍ୟାଗ ଯଦି କରି ପାରା ନଯାଏ......!”

 

କଥାର ମଝିରେ ସ୍ୱର୍ଣ୍ଣ ଅସହିଷ୍ଣୁ ହୋଇ ମୋର ଗଳା ରୁଦ୍ଧ କରି କୁହନ୍ତା, “ବିଶ୍ୱର କଲ୍ୟାଣ ପାଇଁ ବୁଦ୍ଧ କି ତ୍ୟାଗ କରି ନାହାନ୍ତି, ଖ୍ରୀଷ୍ଟ କି ତ୍ୟାଗ କରି ନ ଥିଲେ ଶଙ୍କରାଚାର୍ଯ୍ୟ, ମହମ୍ମଦଙ୍କର ତ୍ୟାଗ କି, ଆଉ ଗାନ୍ଧୀ ବୁଢ଼ା ଅବା କି ତ୍ୟାଗ କରି ନାହାଁନ୍ତି ? ଏହି ମହାପୁରୁଷମାନଙ୍କର ତ୍ୟାଗ କି ପୃଥିବୀର କାହାରି ଅପେକ୍ଷା କମ୍‌ -ଆଉ ସେମାନଙ୍କର ସେ ମହତ୍‌ ବାଣୀ ତାହା ବି କି କମ୍‌...........?”

 

କଥା ଗୁଳି ଆଜି ବି ଥରେ ଥରେ ମୋର ମନେ ପଡ଼ି ଖେଞ୍ଚା ଦିଏ, ପ୍ରଶ୍ନ ଉଠେ । ସର୍ବ ସମୟର ଚିର ମୌନ ସହକାରୀଟିକୁ ମନେ ପକାଇ ମୁଁ ଭାବନ୍ତି, -ୟାରି ଶୀତଳ ଅନ୍ତର ପରି ନିଜର ବି ଯଦି ବିବେକର ଉତ୍ତାପଟା ନ ଥାଆନ୍ତା—?

 

ଇତି ମଧ୍ୟରେ ସ୍ୱର୍ଣ୍ଣ ନିକଟରୁ ଖଣ୍ଡେ ସୌହାର୍ଦ୍ଦ୍ୟ-ବ୍ୟଞ୍ଜକ କ୍ଷୁଦ୍ର ସ୍ୱହସ୍ତ ଲିପିକା ପାଇଥାଏ । ସେ ଲେଖିଛି-,

“ବରଜ ବାବୁ,

 

ଆପଣଙ୍କ ଆଶୀର୍ବାଦ ସାର୍ଥକ ହୋଇଛି । ସଦ୍ୟ ଜାତ ଶିଶୁଟି ଅତି ସୁନ୍ଦର ହୋଇଛି । ଆପଣଙ୍କର ବର୍ତ୍ତମାନ ଜୀବନର କାର୍ଯ୍ୟ ପଦ୍ଧତି ଅବଲମ୍ବନ କରି ଶିଶୁଟିର ନାମ ରଖିଛି ‘ସତ୍ୟବ୍ରତ’ । ଏ ହତଭାଗିନୀର ଭୂମିଷ୍ଠ ଦଣ୍ଡବତ ଗ୍ରହଣ କରିବେ । ଇତି ।

ବିନୟାବନତା,

ସ୍ୱର୍ଣ୍ଣ !”

 

ସ୍ୱର୍ଣ୍ଣର ଚିଠି ପଢ଼ି ମୋର ଗୃହ କୋଣରେ ସନ୍ଧ୍ୟାର ନିବିଡ଼ ଗାଢ଼ଅନ୍ଧକାର ଘନାଇ ଆସିଲା-। ପ୍ରାଣରେ ପ୍ରାଣରେ ଗୋଟାଏ ମର୍ମ୍ମାନ୍ତିକ ଅବସନ୍ନତା ଆସି ମନଟା ମୋର ଉଦାସ ହୋଇ ଆସିଲା-

 

ମୋର କ୍ଷୁଦ୍ର କୁଟୀର କୋଣ ଆବରି ବସିଥିବା ପ୍ରିୟସଙ୍ଗିନୀ କୁଟୀର ରାଣୀଟିକୁ ଲକ୍ଷ୍ୟ କରି କହୁଥିଲି, “ଆଚ୍ଛା ସ୍ନେହଲତା, ଯେମିତି ଭାବରେ ସ୍ୱର୍ଣ୍ଣ ଆଜି ମୋ ନିକଟରୁ ଆଶୀର୍ବାଦ ନେଇ ନିଜକୁ ବହୁଦୂର ପର୍ଯ୍ୟନ୍ତ ଟାଣିନେଇ ସୁଖର ସଉଧ ଗଢ଼ି ଦିନ ଯାପନ କରୁଛି, ସେମିତି ଭାବରେ ତୁମେ କି ମୋହର ଏହି ଦୁର୍ନିବାର ଆକର୍ଷଣରୁ ବିଚ୍ଛିନ୍ନ କରି ନିଜକୁ ଦୂରକୁ ଅପସରାଇ ନେଇ ପାରିବ ନାହିଁ ପ୍ରିୟେ ?”

 

ମଉନାବତୀ କୁଟୀର ରାଣୀଟି ଓଢ଼ଣା ଟାଣି ମଉନ ଖାଲି ରହିଛି । ପ୍ରିୟ ସଙ୍ଗିନୀଠାରୁ ଜବାବ କୌଣସି ମୁଁ ପାଇନି ।

ମୁଁ ବି ମଉନ ହୋଇ ଭାବିଛି, କବିର ସ୍ୱଚ୍ଛଳ ଦାମ୍ଭିକ ଭାବଭରା କେତେ ହୃଦୟସ୍ପର୍ଶୀ କଥା

 

ଫାଲ୍‌ଗୁନ ସନ୍ଧ୍ୟାର ସ୍ୱାଗତ ଅଭିବାଦନରେ ପ୍ରେମର ବନ୍ୟା ପ୍ରବଳ ହୋଇ ଉଠେ । ବିଶ୍ୱର ମୋହନ ରାଗିଣୀ ପ୍ରାଣୀ ଜଗତକୁ ସତେଜ କରିଦିଏ । ଏହି ଅବସରରେ ଉନ୍ମୁକ୍ତ ହୃଦୟରେ ଜଣେ ଜଣକୁ ଅପେକ୍ଷା କରେ ତାହାର ସର୍ବସ୍ୱ ଦେଇ ନିଜର କରି ନେବାକୁ । କିନ୍ତୁ ପରିଣାମ କଅଣ ହୁଏ –ଗାନର ସୁମଧୁର ଲହରୀ ଉଠିଲା ବେଳେ ବୀଣାର ତନ୍ତ୍ରୀ ହଠାତ୍‌ ଛିଣ୍ଡିଗଲେ ଗୋଟିଏ ଯେପରି ବେସୁରା ରାଗିଣୀ ବାଜି ଉଠି ସବୁ ଏକବାରେ ନୀରବ ହୋଇଯାଏ, ସେହିପରି ମୋହର ଏହି କ୍ଷିପ୍ତ ଯୌବନର ଉଦ୍ଦାମ ଭାବ ଦିନେ ମୋହର ଦେଶର କର୍ମମୟ ଗୁରୁଭାରର ଚାପରେ ସମ୍ପୂର୍ଣ୍ଣ ରୁପେ ଭିନ୍ନ ଆକାର ଧାରଣ କରିଥିଲା ।

 

ମୂହୂର୍ତ୍ତକ ଅବକାଶରେ ମନୁଷ୍ୟ କେତେ ଆଶାଢ଼ ଆଶାର ସୁଖ ସ୍ୱପ୍ନ ଦେଖି ପୁଣି ନୈରାଶ୍ୟ ଭାରକୁ ହୃଦୟରେ ବହନ କରି ଅଗ୍ରସର ହୁଏ । ସେଇ ହୁଏ ତାରି ଭାବନାର ପ୍ରଥମ ଆଉ ଶେଷ । ମୋର ଜୀବନର ସଂକ୍ଷିପ୍ତ ଇତିହାସ ଏଇ ପ୍ରଥମ ଆଉ ଶେଷ ନେଇ !!!

 

-ସମାପ୍ତ-